+୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ବତନ୍ତ୍ର ପରୀକ୍ଷା। ଏନେଇ ପରିଷଦ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜ୍ଞପ୍ତି ଅନୁଯାୟୀ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆସନ୍ତା ଶୁକ୍ରବାରଠାରୁ ଆବେଦନ କରିପାରିବେ। ସେମାନେ ପଢୁଥିବା ଶିକ୍ଷାନୁଷ୍ଠାନ ଯାଇ ସାମ୍ସ ଇ-ସ୍ପେସ୍‌ରେ ଆସନ୍ତା ୩ ତାରିଖ ଅପରାହ୍ଣ ୨ଟାରୁ ୯ ତାରିଖ ଅପରାହ୍ଣ ଗୋଟିଏ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ। ସଂପୃକ୍ତ କନିଷ୍ଠ ମହାବିଦ୍ୟାଳୟକୁ ପରିଷଦ ପକ୍ଷରୁ ଲିଙ୍କ(ସଂଯୋଗ) ଦିଆଯାଇଛି।

ତେବେ ଏହି ସ୍ବତନ୍ତ୍ର ପରୀକ୍ଷା ସବୁ ବିଷୟର ହେବ ନାହିଁ। ପ୍ରମୁଖ ବିଷୟରେ ପରୀକ୍ଷା କରିବାକୁ ପରିଷଦ ନିଷ୍ପତ୍ତି ନେଇଥିବା ବେଳେ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହାକୁ ଆଧାର କରି ଅନ୍ୟ ବିଷୟରେ ଫଳ ପ୍ରକାଶ କରାଯିବ। କେଉଁ ପଦ୍ଧତିରେ ମୁଲ୍ୟାୟନ ହେବ ସେନେଇ ପରିଷଦ ନିଷ୍ପତ୍ତି ନେବ। ଆବେଦନକାରୀ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ କରାଯିବ। ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ଦେୟମୁକ୍ତ କରାଯାଇଛି। ପୂର୍ବଭଳି ପ୍ରଶ୍ନପତ୍ର ଢାଞ୍ଚା ଅପରିବର୍ତ୍ତିତ ରହିଛି। ପଞ୍ଜୀକରଣ ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ। ସ୍ବତନ୍ତ୍ର ପରୀକ୍ଷାରେ ଯେଉଁ ମାର୍କ ରଖିବେ ତାକୁ ଚୂଡ଼ାନ୍ତ ଭାବେ ଗଣନା କରାଯିବ।

Comments are closed.