ସମ୍ପର୍କୀୟଙ୍କ ଦଶାହରେ ଯୋଗଦେବାକୁ ଯିବାବେଳେ ନାଳରେ ଭାସିଗଲେ ଦିଅର-ଭାଉଜ

କୋରାପୁଟ: ନିୟତି ବଡ଼ ନିଷ୍ଠୁର । କେତେବେଳେ କାହା ଜୀବନ ଚାଲିଯିବ ତାହାର ଇୟତ୍ତା ନାହିଁ । ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଦଶାହରେ ଯୋଗ ଦେବାକୁ ବାହାରିଥିଲେ ଦିଅର ଓ ଭାଉଜ । ମାତ୍ର ନଦୀ ପାର୍ ହେବା ସମୟରେ ଉଭୟ ଭାସିଗଲେ । ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଯାଉ ନିଜେ ଶବ ପାଲଟିଗଲେ ।

ଘଟଣାଟି ଘଟିଛି ବୈପାରିଗୁଡ଼ା ଥାନା ଅନ୍ତର୍ଗତ କୁନ୍ଦ୍ରା ଅଞ୍ଚଳରେ । କଳାପଡ଼ା ଅଞ୍ଚଳରେ ଚଇତୁ ପରଜା ଓ ତାଙ୍କର ସମ୍ପର୍କୀୟ ଭାଉଜ ଜଲବା ପରଜା ସେମାନଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ଯାଉଥିଲେ । କଳାପଡାରରୁ ଡେଙ୍ଗାକୁସୁମଗୁଡାକୁ ଯିବାବେଳେ କନିଆଯୋଡି ନଦୀ ପାର ହେଉଥିବା ବେଳେ ଗୋଡ ଖସି ଯାଇଥିଲା । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ଖବର ପାଇଁ ବୈପାରିଗୁଡା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ସମୟ ଖୋଜାଖୋଜି ପରେ ଶେଷରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ବୈପାରିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

Comments are closed.