‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀ ଉଦଘାଟିତ

ପ୍ରଶାସନିକ କ୍ଷେତ୍ରରେ ଅଭିଜ୍ଞତା ଓ ଅଭିନବ ବିଚାର ବିନିମୟ ପାଇଁ ଏକ ସାଧାରଣ ମଞ୍ଚ ଯୋଗାଇ ଦେବା ଲାଗି ସମ୍ମିଳନୀ ଜରିଆରେ ପ୍ରୟାସ କରାଯାଉଛି

ଭୁବନେଶ୍ୱର : ‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀ ଆଜି ଭୁବନେଶ୍ୱରଠାରେ ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ (ଡିଏଆରପିଜି) ବିଭାଗ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହେଉଛି।


ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ଡିଏଆରପିଜି ସଚିବ ସଞ୍ଜୟ ସିଂ କହିଥିଲେ, “ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରଚଳନ କ୍ଷେତ୍ରରେ ଏହି ସମ୍ମିଳନୀ ସକାରାତ୍ମକ ଭୂମିକା ନିର୍ବାହ କରିବ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଉତ୍ତମ ପ୍ରଶାସନ କ୍ଷେତ୍ରରେ ଶ୍ରେଷ୍ଠ ବ୍ୟବସ୍ଥା ଏବଂ ଅଭିନବ ଉପାୟ ବିଷୟରେ ଜାଣିବା ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ଏହାକୁ ଦୀର୍ଘସ୍ଥାୟୀ କରିବା” ଉତ୍ତମ ପ୍ରଶାସନିକ ବ୍ୟବସ୍ଥାକୁ କାର୍ୟ୍ୟକାରୀ କରିବାର ଗୁରୁତ୍ବ ଉପରେ ଆଲୋକପାତ କରି ଶ୍ରୀ ସିଂ କହିଥିଲେ ଯେ କେନ୍ଦ୍ର, ରାଜ୍ୟ, ଜିଲ୍ଲା ଏବଂ ପଞ୍ଚାୟତସ୍ତରରେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ପ୍ରତିଫଳନ ହେବା ଫଳରେ ଏହା ନାଗରିକ କୈନ୍ଦ୍ରିକ ପ୍ରଶାସନକୁ ସାକାର ରୂପ ଦେବାରେ ସହାୟକ ହେବ। ସର୍ବାଧିକ ପ୍ରଶାସନ ଏବଂ ସର୍ବନିମ୍ନ ସରକାର ସଂକଳ୍ପକୁ ଏହା ବାସ୍ତବରେ କାର୍ୟ୍ୟକାରୀ କରିବ। ଏ କ୍ଷେତ୍ରରେ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରୟାସକୁ କାର୍ୟ୍ୟକାରୀ କରିବା ଲାଗି ଉତ୍ତମ ପ୍ରଶାସନିକ କାର୍ୟ୍ୟକ୍ରମଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଏବଂ ଏହାର ପ୍ରଚାରପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ବିଭାଗ ପକ୍ଷରୁ ପ୍ରକାଶନୀ ଭଳି ମାଧ୍ୟମକୁ ଉପଯୋଗ କରାଯାଉଛି, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସହାୟତା ଯୋଗାଇ ଦିଆଯାଉଛି ଯାହାଫଳରେ ସେମାନେ ପେସାଦାର ଭାବେ ସେମାନଙ୍କର ଶ୍ରେଷ୍ଠ ପ୍ରଶାସନିକ ଉପାୟଗୁଡ଼ିକୁ ନେଇ ଏକ ରେକର୍ଡ ଦସ୍ତାବିଜ ପ୍ରସ୍ତୁତ କରିପାରିବେ। ଏ କ୍ଷେତ୍ରରେ ବିଭାଗ ପକ୍ଷରୁ ଅଭିନବ ବିଚାର ବିନିମୟ ଲାଗି ସମ୍ମିଳନୀ ଆୟୋଜନ କରାଯାଉଛି ଏବଂ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଯୋଜନା ମଧ୍ୟ କରାଯାଉଛି। ପ୍ରତ୍ୟେକ ପ୍ରୟାସ ସଫଳ ହେବାର ଏକ କାରଣ ରହିଛି। ଅଭିନବ ଉପାୟକୁ ସଫଳ, ଫଳପ୍ରଦ କରିବା ଲାଗି, ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। ପ୍ରତ୍ୟେକ ପରିସ୍ଥିତି ପାଇଁ ଭିନ୍ନ ରଣନୀତି ଓ ଜ୍ଞାନକୌଶଳ ପ୍ରୟୋଗ କରାଯାଉଥିବା ସେ କହିଥିଲେ।


ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ସ୍ବତନ୍ତ୍ର ସଚିବ ଭି. ଶ୍ରୀନିବାସ ଉଦଘାଟନୀ ଅଭିଭାଷଣରେ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଅଭିବାଦନ ଜଣାଇବା ସହିତ ସମ୍ମିଳନୀର ବିଷୟବସ୍ତୁ ଏବଂ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀର ଗୁରୁତ୍ବ ଉପରେ ଆଲୋକପାତ କରି ଶ୍ରୀ ଶ୍ରୀନିବାସ କହିଥିଲେ, “ଅଭିନବ ଉପାୟ ଅବଲମ୍ବନ କରିବା କ୍ଷେତ୍ରରେ ସାରା ଦେଶରେ ଜିଲ୍ଲା ପ୍ରଶାସନଗୁଡ଼ିକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀ ଅବସରରେ, ଅଭିନବମାନ ଉପସ୍ଥାପନା କରାଯିବ ଯେଉଁଥିରୁ ଆମେ ଶିଖିପାରିବା ଏବଂ ଏହାକୁ ଆବଶ୍ୟକ କ୍ଷେତ୍ରରେ ପ୍ରତିଫଳିତ କରିପାରିବା।”

Comments are closed.