ପିପିଲିରେ ୨ କରୋନା ପଜିଟିଭ ଚିହ୍ନଟ

ପିପିଲି: ପିପିଲି ଅଞ୍ଚଳର ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପିପିଲି ପୌରାଞ୍ଚଳର ଜଣେ ବାହାର ଫେରନ୍ତା ୨୮ ବର୍ଷୀୟ ଯୁବକ ସମେତ ନୂଆଶାସନ ପଞ୍ଚାୟତର ଏକ ଗ୍ରାମର ଜଣେ ମହିଳାଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏକ କୋଭିଡ୍‍ ହସ୍‍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଉଭୟଙ୍କ ପରିବାର ସଦସ୍ୟଙ୍କ ସ୍ୱାବ୍‍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନୂଆଶାସନ ପଞ୍ଚାୟତର ଏକ ଗ୍ରାମର ଜନୈକା ଗର୍ଭବତୀ ମହିଳା ଗତ ରବିବାର ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‍ପିଟାଲ୍‍କୁ ଡେଲିଭରି ହେବା ପାଇଁ ଯାଇଥିଲେ। ଡେଲିଭରି ପୂର୍ବରୁ ସେଠାରେ ତାଙ୍କର ସ୍ୱାବ୍‍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ୱାବ୍‍ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଆଜି ସମ୍ପୃକ୍ତ ମହିଳାଙ୍କ ସମେତ ତାଙ୍କ ନବଜାତ ଶିଶୁକୁ ଭୁବନେଶ୍ୱର ସ୍ଥିତ ଏକ କୋଭିଡ୍‍ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇ ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡିଛି। ସେହିପରି ପିପିଲି ପୌରାଞ୍ଚଳର ଏକ କଲୋନୀର ଜଣେ ୨୮ବର୍ଷୀୟ ଯୁବକଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଉକ୍ତ ଯୁବକ ଜଣକ ବାହାର ରାଜ୍ୟରୁ ଆସି ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହିଥିଲେ। ଗତ ୫ ତାରିଖ ଦିନ ତାଙ୍କ ମାଆଙ୍କ ସମେତ ତାଙ୍କର ସ୍ୱାବ୍‍ ପରୀକ୍ଷା କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ପଜିଟିଭ ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ କୋଭିଡ୍‍ ହସ୍‍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ତେବେ ଉଭୟଙ୍କ ପରିବାର ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ୍‍ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ଆଜି ପିପିଲି ଅଗ୍ନିଶମ ବିଭାଗ ପକ୍ଷରୁ ନୂଆଶାସନ ପଞ୍ଚାୟତର ଉକ୍ତ ମହିଳାଙ୍କ ଘର ସମେତ ଆଖପାଖ ଅଞ୍ଚଳକୁ ବିଶୋଧନ କରାଯାଇଛି।

Comments are closed.