ବସ୍‌ଷ୍ଟାଣ୍ଡରେ ନିଆଁ ଲାଗି ଜଳିଗଲା ୨ ବସ୍

ଯାଜପୁର: ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ବ୍ୟାସନଗର ବସଷ୍ଟାଣ୍ଡରେ ସୋମବାର ଭୋର ସମୟରେ ଏକ ଅଘଟଣ ଘଟିଛି। ବସ୍‌ଷ୍ଟାଣ୍ଡରେ ଅଟକିଥିବା ୨ଟି ବସ୍‌ ନିଆଁ ଲାଗି ଜଳିଯାଇଛି। ସୁଲୋଚନା ଏବଂ ନିରୂପମା ନାମକ ୨ଟି ଘରୋଇ ବସ୍‌ ପ୍ରତିଦିନ କଟକରୁ ଯାଜପୁରରୋଡ୍‌ ଚଳାଚଳ କରିଥାନ୍ତି। ରବିବାର ବିଳମ୍ବିତ ରାତିରେ ବସ୍‌ ଦୁଇଟି ନିର୍ଦ୍ଧାରିତ ସମୟରେ ବ୍ୟସନଗର ବସ୍‌ଷ୍ଟାଣ୍ଡରେ ପହଞ୍ଚି ଯାତ୍ରୀଙ୍କୁ ଖାଲି କରିଥିଲେ। ପରେ ଡ୍ରାଇଭର ଏବଂ ହେଲ୍‌ପର ଖାଇବାକୁ ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ହଠାତ୍‌ ବସ୍‌ ଦୁଇଟି ଭିତରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ସେମାନେ ତୁରନ୍ତ ବସ୍‌ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ବସ୍‌ ୨ଟି ନିଆଁରେ ଜଳିଯାଇଥିଲା। ଏକକାଳୀନ ୨ ବସ୍‌ରେ କିପରି ନଆଁ ଲାଗିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମଶାବତୀରୁ ନିଆଁ ଲାଗିଥିବା ମଧ୍ୟ ଅନୁମାନ କରାଯାଉଛି। ଯାଜପୁର ରୋଡ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.