ଅଟୋ ସହ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ବୁଗୁଡ଼ା : ନୟାଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ସହ ଧରା ପଡିଲେ ଦୁଇ ମାଫିଆ । ବାଲିପଦର ଫାଣ୍ଡି ପୁଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଜିଲ୍ଲା ଓଡ଼ଗାଁର କେଶବ ପାତ୍ର( ୨୩) ଓ କବି ପାତ୍ର(୩୨) । ଏହି ଦୁଇ ଜଣଙ୍କୁ କେସ ନଂ ୩୬୮/୨୦ ଏବଂ ଓଡିଶା ଅବକାରୀ ଆଇନ ୫୨ଏ, ୫୩(୧)ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ହେବ ବୋଲି ଜଣାପଡିଛି । ଗତକାଲି ସନ୍ଧ୍ୟାରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ କଲମ୍ବ ଛକ ଠାରେ ଏକ ଅଟୋକୁ ଅଟକାଇ ଯାଞ୍ଚ କରି ସେଥିର ଥିବା ୩୧୪ କିଲୋଗ୍ରାମ ୬୦୦ ଗ୍ରାମ ଗଞ୍ଜେଇ ସହ ଅଟୋକୁ ଜବତ କରି ଦୁଇ ଜଣ ମାଫିଆକୁ ଗିରଫ କରିଛନ୍ତି। ସେମାନେ ବଡଗଡରୁ ସୋରଡ଼ା ରାସ୍ତା ଦେଇ କେନ୍ଦୁପଦର, ଗହଙ୍ଗୁ, କଲମ୍ବ, ଅନ୍ତରପଡା ରାସ୍ତାରେ ନୟାଗଡ ଯାଉଥିଲେ । ଏହି ରାସ୍ତା ଚୋରା ବେପାରୀଙ୍କ ପାଇଁ ସୁବିଧା ଭାବି ଗଞ୍ଜେଇ ନେଇ ଯାଉଥିଲେ ହେଲେ ପୁଲିସ ହାବୁଡେ ପଡି ଯାଇଥିଲେ ।

Comments are closed.