ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣାରେ ୨ଗିରଫ

ନୟାଗଡ଼ : ମେରୁ ଉତ୍ସବ ପାଳନ ବେ‌ଳେ ଦଣ୍ଡ ଶୋଭାଯାତ୍ରା ନେଇ ନୟାଗଡ଼ ସହରରେ ବୁଧବାର ରାତିରେ ଯୁବକଙ୍କୁ ହତ୍ୟା ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ରବୀନ୍ଦ୍ରନାଥ ପ୍ରଧାନ ଏବଂ ଦଶପଲ୍ଲାର ରଶ୍ମୀତା ଜେନା। ଟାଉନ୍‌ ଥାନା ଅଧୀନ ସିନ୍ଦୁରିଆର ଲୋକନାଥ ମନ୍ଦିର ନିକଟରେ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଦଣ୍ଡଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପ୍ରବଳ ଭିଡ଼ର ସୁଯୋଗ ନେଇ ଦୁର୍ଗାପ୍ରସାଦର ଗ୍ରାମର ବିକ୍ରମ ପରିଡ଼ାଙ୍କ ପୁଅ ନବୀନ ପରିଡ଼ା(୨୭)ଙ୍କୁ ଏକ ଗୋଷ୍ଠୀର ଲୋକେ ହତ୍ୟା କରିଥିଲେ । ଦୁର୍ଗାପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଭଳି ୩ଟି ଗ୍ରାମବାସୀଙ୍କ ପକ୍ଷରୁ ଦଣ୍ଡ ଶୋଭାଯାତ୍ରା ବାହାରିଥିଲା। ସମସ୍ତ ଶୋଭାଯାତ୍ରାକାରୀ ସିନ୍ଦୁରିଆଗ୍ରାମସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ନିଜ ଗ୍ରାମକୁ ଫେରିଥାନ୍ତେ । କିନ୍ତୁ କିଏ ଆଗ ଦର୍ଶନ କରିବ, ଡି଼ଜେ ସାଉଣ୍ଡ୍‌ ଜୋର୍‌ରେ ବଜାଇବା ନେଇ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଏଭଳି ବିବାଦର ସୂତ୍ରପାତ ହୋଇଥିଲା।

Comments are closed.