କୁଲଡିହାରୁ ୨ ଶିକାରୀ ଗିରଫ; ୨ ବନ୍ଧୁକ ଜବତ

ନୀଳଗିରି: ବାଲେଶ୍ୱର ଜିଲାର ଏକମାତ୍ର ଅଭୟାରଣ୍ୟ କୁହାଯାଉଥିବା ନୀଳଗିରିସ୍ଥିତ କୁଲଡିହା ଜଙ୍ଗଲ ଭିତରକୁ ଶତାଧିକ ଶିକାରୀ ପଶିଥିବା ନେଇ ବନବିଭାଗକୁ ଖବର ମିଳିଥିଲା। ଏନେଇ ବନବିଭାଗ ପକ୍ଷରୁ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ମଙ୍ଗଳବାର କୁଲଡିହା ରେଞ୍ଜର ବିଜୟ ମହାପାତ୍ର ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭୟାରଣ୍ୟ ପାଦଦେଶ ଗାଁଗୁଡ଼ିକରେ ଚଢ଼ଉ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନୀଳଗିରି ଥାନା ଅଧୀନ ତଥା କୁଲଡିହା ପାଦଦେଶର ଗାଁ କୁହାଯାଉଥିବା ନୂଆସାହି ବାଙ୍କିଶୋଳ ଅଞ୍ଚଳରେ ଚଢ଼ଉ କରାଯାଇ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ହୋଇଥିବା ଶିକାରୀଦ୍ୱୟ ହେଲେ, ବୁଦ୍ଧିଆ ସିଂ ଶନିଆ ସିଂ। ବନବିଭାଗର ଏହି ଚଢ଼ଉ ଦେଖି କୁଲଡିହା ପାଦଦେଶରେ ବସବାସ କରୁଥିବା ଶିକାରୀମାନେ ଭୟବୀତ ହୋଇ ପଡ଼ିଛନ୍ତି। ଏହି ଚଢ଼ଉରେ କୁଲଡିହା ଫରେଷ୍ଟର ନରେଶ ସିଂ, ପରମାନନ୍ଦ ନାୟକ, ଗାର୍ଡ଼ ରାମେଶ୍ୱର ମୁର୍ମୁଙ୍କ ସମେତ ସବୁଜବାହିନୀ କର୍ମଚାରୀ ସାମିଲ ଥିଲେ।

Comments are closed.