+୨ ନାମଲେଖା : ଆସନଠୁ ଆବେଦନ କମ୍

ଏଥର ବଢ଼ିବନି ସିଟ୍ ମେଧା ତାଲିକା ଉପରେ ନଜର

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ +୨ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ୪ ଲକ୍ଷ ୭୮ ହଜାର ୯୭୬ ଛାତ୍ରଛାତ୍ରୀ +୨ରେ ନାମ ଲେଖାଇବାକୁ ଆବେଦନ କରିଛନ୍ତି। ସେମାନଙ୍କ ଭିତରୁ ୪ ଲକ୍ଷ ୭୪ ହଜାର ୨୭୭ ଜଣ ଫି’ ଦାଖଲ କରିଛନ୍ତି। ଆସନ୍ତା‌ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଙ୍କ କଷିବା ଆରମ୍ଭ ହୋଇଗଲାଣି। ଗତଥର ଅପେକ୍ଷା ଚଳିତବର୍ଷ ମାଟ୍ରିକ ପାସହାର ଅଧିକ ରହିଛି। ତେଣୁ ପିଲାମାନେ ନିଜ ଘରପାଖ ତଥା ମନପସନ୍ଦର କଲେଜରେ ପଢ଼ିବାର ସୁଯୋଗ ପାଇବେ କି ନାହିଁ; ସେନେଇ ଏବେ ଚିନ୍ତାରେ।
ସୂଚନା ମୁତାବକ, ରାଜ୍ୟରେ ମୋଟ ୨୦୬୪ ଜୁନିୟର କଲେଜ ରହିଛି। ସେଠାରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଏବଂ ଧନ୍ଦାମୂଳକ ଶିକ୍ଷାରେ ମୋଟ ୫ଲକ୍ଷ ୭ହଜାର ୬୫ଟି ସିଟ୍ ରହିଛି। ଆସନ ତୁଳନାରେ ଏଥର ଆବେଦନକାରୀଙ୍କ ସଂଖ୍ୟା କମ୍ ରହିଥିବାରୁ ଆଉ ସିଟ୍ ବୃଦ୍ଧି ହେବନି। କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀ ବିଜ୍ଞାନ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଥିବାରୁ ଘର ପାଖରେ ଥିବା ସରକାରୀ କଲେଜ ଗୁଡ଼ିକରେ ସୁଯୋଗ ମିଳି ନ ପାରେ। କିନ୍ତୁ ଏଥର ନାମଲେଖା ପାଇଁ ଆବେଦନ ସମୟରେ କଲେଜ ଚୟନ ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା। ଅର୍ଥାତ୍ ଜଣେ ଆବେଦନକାରୀ ନିଜ ନମ୍ବର ଅନୁଯାୟୀ ବହୁ କଲେଜରେ ପଢ଼ିବା ଲାଗି ଆବେଦନ କରିଛନ୍ତି। ପୂର୍ବରୁ ଜଣେ ପିଲା ମାତ୍ର ୧୦ଟି କଲେଜ ପାଇଁ ଆବେଦନ କରୁଥିଲେ। ନାମଲେଖା ପ୍ରକ୍ରିୟା ନେଇ ଆସନ୍ତା ୧୬ ତାରିଖରେ ମୋଡାଲିଟିଜ(ନିୟମାବଳୀ) ଜାରି ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ କଳାରେ ମୋଟ୍ ୨ଲକ୍ଷ ୭୭ହଜାର ୨୧୮ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୬୧ ହଜାର ୬୮, ବାଣିଜ୍ୟରେ ୪୫ ହଜାର ୨୬୮, ସଂସ୍କୃତରେ ୧୩,୨୬୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦,୨୩୨ଟି ସିଟ୍ ରହିଛି। +୨ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୧୭ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ଆରମ୍ଭ ହେଇ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ୨ୟ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୨ ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ଏହି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୫ରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି କୌଣସି କଲେଜରେ କିଛି ଷ୍ଟ୍ରିମ୍‌ରେ ସିଟ୍ ବଳକା ପଡ଼େ ତେବେ ସେଥିରେ ସ୍ପଟ୍ ନାମଲେଖା ଲାଗି ମେଧା ତାଲିକା ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇବ ବୋଲି ନିଷ୍ପତ୍ତି ହୋଇଛି।

Comments are closed.