ଏଣିକି ଭଡ଼ାରେ ମିଳିବ ଦୁଇ ଓ ଚାରି ଚକିଆ ଯାନ

ଭୁବନେଶ୍ବର: ଦେଶର ଅନ୍ୟ ସହର ଭଳି ଓଡ଼ିଶାରେ ଭଡ଼ା ସୂତ୍ରରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଇବା ପାଇଁ ମିଳିବ। ଏଥିପାଇଁ କେନ୍ଦ୍ର ସରକାର ଗାଇଡ୍ଲାଇନ୍ ଜାରି କରିବା ସହ ରେଣ୍ଟ ଏ ବାଇକ୍ ଏବଂ ରେଣ୍ଟ ଏ କ୍ୟାବ୍ ଯୋଜନା କାର୍ୟ୍ୟକାରୀ କରିବା ପାଇଁ ଓଡ଼ିଶାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଯୋଜନା କାର୍ୟ୍ୟକାରୀ ପାଇଁ କଟକଣା କିଛିଟା କୋହଳ କରାଯାଇଛି।
କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ପରିବହନ ବିଭାଗ ସଚିବଙ୍କୁ ଲେଖାଯାଇ ଥିବା ପତ୍ରରେ କୁହାଯାଇଛି ଯେ ରେଣ୍ଟ ଏ ମୋଟର ସାଇକଲ ସ୍କିମ୍-୧୯୯୭ ଓ ରେଣ୍ଟ ଏ କ୍ୟାବ୍ ସ୍କିମ୍-୧୯୮୯ ପ୍ରଚଳନ କରାଯାଇଛି। ଦୁଇ ଚକିଆ ଓ ଚାରି ଚକିଆ ଯାନ ଭଡ଼ାରେ ଦେବା ବ୍ୟବସାୟ ପାଇଁ ସରକାର କିଛି ନିୟମାବଳୀ ଲାଗୁ କରିଛନ୍ତି। ପର୍ୟ୍ୟଟକ, ଅଧିକାରୀ, ବ୍ୟବସାୟୀ ତଥା ଛୁଟିରେ ବୁଲିବାକୁ ଆସିଥିବା ପରିବାର ଭଡ଼ା ସୂତ୍ରରେ ଗାଡ଼ି ନେଇପାରିବେ। ଭଡ଼ାରେ ଗାଡ଼ି ନେଇ ଚଳାଇବା ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ଅବା ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ପରମିଟ୍ ଥିବା ଆବଶ୍ୟକ। ତେବେ ବାଣିଜ୍ୟିକ ଉଦ୍ଦେଶ୍ୟରେ ଗାଡ଼ି ଭଡ଼ାରେ ଦିଆ ଯାଉଥିବା ଏହି ଗାଡ଼ି ଚଳାଇବା ପାଇଁ ବ୍ୟାଜ୍ର ଆବଶ୍ୟକତା ପଡ଼ିବ ନାହିଁ। ଗିୟର ରହିତ ଓ ଗିୟର୍ ଥିବା ମୋଟର ସାଇକଲ, ହାଲୁକା ମାଲବାହୀ ଓ ଯାତ୍ରୀବାହୀ ଯାନ, ଇ-ରିକ୍ସା/ଇ-କାର୍ଟ ଭଳି ଗାଡ଼ି ଭଡ଼ା ସୂତ୍ରରେ ଦେବା ପାଇଁ ଟ୍ରାନ୍ସପୋର୍ଟ ଲାଇସେନ୍ସର ଆବଶ୍ୟକତା ରହିବ ନାହିଁ।
ଅପରପକ୍ଷେ ରାଜ୍ୟରେ ରେଣ୍ଟ ଏ ମୋଟର ସାଇକଲ ସ୍କିମ୍ ଆରମ୍ଭ ପାଇଁ ଇଚ୍ଛୁକ ଥିବା ବ୍ୟବସାୟୀଙ୍କୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିବା ଆବଶ୍ୟକ। ଏହି ଯୋଜନାରେ ବାଇକ୍ ଭଡ଼ାରେ ନେଉଥିବା ଚାଳକ ନିର୍ଦ୍ଧାରିତ ଟିକସ ଦେଇ ସମଗ୍ର ରାଜ୍ୟ ବୁଲିବା ପାଇଁ ଅନୁମତି ଦିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଦେଶର ପ୍ରମୁଖ ସହର ତଥା ପର୍ୟ୍ୟଟନ ବହୁଳ ରାଜ୍ୟରେ ଭଡ଼ା ସୂତ୍ରରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ବେଶ୍ ଲୋକପ୍ରିୟ ହୋଇପାରିଛି। ଅନ୍ୟ ସ୍ଥାନରୁ ସ୍ବଳ୍ପ ସମୟ ପାଇଁ ଆସୁଥିବା ଲୋକଙ୍କ ପାଇଁ ଭଡ଼ା ଗାଡ଼ି ବେଶ୍ ସୁହାଇଥାଏ। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ପରେ ଓଡ଼ିଶାରେ ବ୍ୟବସାୟୀମାନେ ଇଚ୍ଛୁକ ହେଲେ ଭଡ଼ା ସୂତ୍ରରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ମିଳିବା ଆରମ୍ଭ ହୋଇପାରିବ।