ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ଆଜି

ପୁଣେ : ଇଂଲଣ୍ଡ କ୍ରିକେଟ୍‌ ଦଳର ଭାରତ ଗସ୍ତରେ ଅନ୍ତିମ ଚରଣରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଏଠାରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ। ଏହି ଗସ୍ତରେ ଇଂଲଣ୍ଡକୁ ଉଭୟ ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତ ପରାସ୍ତ କରିଛି। ଦିନିକିଆରେ ବିଶ୍ବ ଚମ୍ପିଆନ୍ ଇଂଲଣ୍ଡ ବିଶ୍ବର ୧ନଂ ଦଳ ହୋଇଥିବା ବେଳେ ଭାରତ ୨ନଂ ଦଳ। ଟ୍ବେଣ୍ଟି୨୦ରେ ମଧ୍ୟ ଉଭୟ ଦଳଙ୍କର ମାନ୍ୟତା ସମାନ ଥିବା ବେଳେ ଭାରତ ସିରିଜ୍ ଜିତିଥିଲା। ତେଣୁ ଘରୋଇ ମାଟିରେ ଖେଳୁଥିବା ଭାରତ ପ୍ରଥମ ମ୍ୟାଚ୍‌ ସହ ସିରିଜ୍ ଜିତିବା ପାଇଁ ମଧ୍ୟ ଫେଭରିଟ୍‌। ଦିନିକିଆରେ ଇଂଲଣ୍ଡ ନିଶ୍ଚିତ ଭାବେ ଶକ୍ତିଶାଳୀ। ହେଲେ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତ ତା’ର ଶକ୍ତି ପ୍ରଦର୍ଶନ କରିସାରିଛି। ଟେଷ୍ଟ ଓ ଟି୨୦ ସିରିଜ୍ ହାରିବା ପରେ ଦିନିକିଆ ସିରିଜ୍ ଜିତି ଇଂଲଣ୍ଡ କିଞ୍ଚିତ୍ ସମ୍ମାନ ଫେରି ପାଇବାକୁ ପ୍ରୟାସ କରିବ।
ଭାରତୀୟ ଅଧିନାୟକ ବିରାଟ କୋହଲି ଧଳା ବଲ୍‌ କ୍ରିକେଟ୍‌ରେ ଫର୍ମକୁ ଫେରିଛନ୍ତି। ​‌େ​‌ଟ୍ବଣ୍ଟି୨୦ ସିରିଜ୍‌ରେ କୋହଲି ୩ଟି ଅପରାଜିତ ଅର୍ଦ୍ଧଶତକ ସହ ସର୍ବାଧିକ ୨୩୧ ରନ୍‌ କରିଛନ୍ତି। ଦିନିକିଆରେ ମଧ୍ୟ କୋହଲି ଏହି ଫର୍ମ ଜାରି ରଖିବାକୁ ଚାହିଁବେ। ଦିନିକିଆରେ ଭାରତର ଅନ୍ୟତମ ସଫଳ ଯୋଡ଼ି ରୋହିତ ଓ ଶିଖର ଧାୱନ ଇନିଂସ ଓପନ୍‌ କରିବେ ବୋଲି ଅଧିନାୟକ କୋହଲି ଘୋଷଣା କରି ସାରିଲେଣି। ଆରମ୍ଭରୁ ନ ହେଲେ ବି ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ। ୪ନଂ ସ୍ଥାନରେ ଶ୍ରେୟାସ ଆୟର ଖେଳିପାରନ୍ତି। ହାର୍ଦିକ ପାଣ୍ଡ୍ୟା ବୋଲିଂକରିବା ଭାରତୀୟ ଦଳ ପାଇଁ ଏକ ଶୁଭଖବର। ତଥାପି ଭାରତକୁ ଚୂଡ଼ାନ୍ତ ଏକାଦଶ ବାଛିବା ସହଜ ହେବନାହିଁ। ୫ନଂ ସ୍ଥାନ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଋଷଭ ପନ୍ତ୍‌ଙ୍କ ପାଇଁ ସୁରକ୍ଷିତ। ୬ନଂ ସ୍ଥାନ ପାଇଁ ଭାରତକୁ କସରତ କରିବାକୁ ପଡ଼ିବ। ଏହି ସ୍ଥାନରେ ଅଲ୍‌ରାଉଣ୍ଡର ଖେଳିବେ ନା ଅତିରିକ୍ତ ବ୍ୟାଟ୍‌ସମ୍ୟାନ୍ ଖେଳିବେ; ତାହା ଦଳ ମ୍ୟାନେଜମେଣ୍ଟ ନିଶ୍ଚିତ କରିବ। ବ୍ୟାଟ୍‌ସମ୍ୟାନ୍ ଖେଳିଲେ କେ.ଏଲ୍‌. ରାହୁଲ ସୁଯୋଗ ପାଇପାରନ୍ତି। ଅନ୍ୟଥା ଦୁଇ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଓ କ୍ରୁନାଲ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ ଖେଳିବେ। ଟି୨୦ ସିରିଜ୍‌ ଖେଳିଥିବା ୩ ପେସ୍ ବୋଲର ଭୁବନେଶ୍ବର କୁମାର, ଟି. ନଟରାଜନ୍ ଓ ସାର୍ଦ୍ଦୁଳ ଠାକୁର ଖେଳିବା ନିଶ୍ଚିତ। ଏକମାତ୍ର ସ୍ପିନର ସ୍ଥାନ ପାଇଁ ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରେ ମୁକାବିଲା ହେବ।
ଇଂଲଣ୍ଡ ଦଳରେ ବିଶ୍ବକପ୍ ଜିତିଥିବା ୩ ପ୍ରମୁଖ ଖେଳାଳି ନାହାନ୍ତି। ଜୋଫ୍ରା ଆର୍ଚର ଆହତ ହୋଇଥିବା ବେଳେ ଜୋ ରୁଟ୍‌ ଓ କ୍ରିସ୍ ୱକ୍‌ସଙ୍କୁ ବିଶ୍ରାମ ମିଳିଛି। ଇଂଲଣ୍ଡକୁ ପ୍ରଥମ ୬ ବ୍ୟାଟ୍‌ସମ୍ୟାନଙ୍କୁ ବାଛିବାରେ ଅସୁବିଧା ହେବନାହିଁ। ଜେସନ୍ ରୟଙ୍କ ସହ ଜନି ବେୟାର​‌େ​‌ଷ୍ଟା ଇନିଂସ ଓପନ୍ କରିବେ। ବେନ୍‌ ଷ୍ଟୋକ୍‌ସ ୩ନଂରେ ବ୍ୟାଟିଂକରିବେ। ୨୦୧୯ ବିଶ୍ବକପ୍ ଫାଇନାଲ ପରେ ଷ୍ଟୋକ୍‌ସଙ୍କର ଏହା ପ୍ରଥମ ଦିନିକିଆ ହେବ। ୪ନଂରେ ଅଧିନାୟକ ଇଓନ୍ ମୋର୍ଗାନ୍ ଖେଳିବାର ଥିବା ବେଳେ ଜୋସ୍ ବଟ୍‌ଲର ଓ ସାମ୍ ବିଲିଙ୍ଗ୍‌ସ ପରବର୍ତ୍ତୀ ୨ଟି ସ୍ଥାନରେ ବ୍ୟାଟିଂ କରିବେ। ଦୁଇ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ମୋଇନ୍ ଅଲୀଙ୍କ ମଧ୍ୟରୁ ଜଣେ ଖେଳିବେ। ଆର୍ଚରଙ୍କ ସ୍ଥାନରେ ପେସ୍ ବୋଲର ରିସ୍ ଟପ୍‌ଲି ଖେଳିବେ। ଆଦିଲ ରସିଦ୍ ଓ ମାର୍କ ଉଡ୍‌ ଖେଳିବା ନିଶ୍ଚିତ ହୋଇଥିବା ବେଳେ ଶେଷ ସ୍ଥାନ ପାଇଁ ଦୁଇ ଭାଇ ସାମ୍ କରନ୍ ଓ ଟମ୍ କରନ୍‌ଙ୍କ ମଧ୍ୟରେ ମୁକାବିଲା ହେବ। ପୁଣେ ପିଚ୍‌ ବ୍ୟାଟିଂ ପାଇଁ ସହାୟକ ହେବ। ଏଠାରେ ୪ଟି ଦିନିକିଆ ଖେଳା ଯାଇଥିବା ବେଳେ ୩ ଥର ୩୦୦ରୁ ଅଧିକ ରନ୍ ହୋଇଛି। ୨୦୧୦ ପରଠାରୁ ଘରୋଇମାଟିରେ ଭାରତ ମାତ୍ର ୩ଟି ଦିନିକିଆ ସିରିଜ୍ ହାରିଛି।

Comments are closed.