ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଖୋଜ

ଆଶାକର୍ମୀଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣକୁ ଜୋରଦାର କରାଯିବ। ଆଜିଠାରୁ କରୋନା ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଗାଁ, ସାହି, ସହର ବୁଲି ଖୋଜିବାକୁ ଅଭିଯାନ ଆରମ୍ଭ ହେବ। ସେମାନଙ୍କୁ ଚିହ୍ନଟ କରି ଟିକାଦାନ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଶାକର୍ମୀ ମାନେ ଗାଁ ଗାଁରେ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଖୋଜିବେ। ଏହାପରେ ଟିକା ନେଇ ନ ଥିବା ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ ପାଇବ। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ବିତୀୟ ପାନ ନେଇନାହାନ୍ତି। ସେମାନଙ୍କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ। ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ପାନ ଟିକାକରଣ ସରିବ ବୋଲି ସେ କହିଛନ୍ତି। ଏହାଛଡ଼ା ଏଣିକି ଯେଉଁ ଗାଁର ଲୋକସଂଖ୍ୟା ଅଧିକ, ସେଠି ଟିକାକରଣ କେନ୍ଦ୍ରର ସଂଖ୍ୟା ବଢ଼ାଯିବ ବୋଲି ସେ କହିଛନ୍ତି। ଅର୍ଥାତ୍ ବଡ଼ ଗାଁ ମାନଙ୍କରେ ଟିକାକେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ଭାରତର ପଶ୍ଚିମବଙ୍ଗ, ଆସାମ ଓ ମହାରାଷ୍ଟ୍ର ଭଳି ଯେଉଁ ସବୁ ରାଜ୍ୟରେ ଏବେ ସଂକ୍ରମଣ ବଢିଛି ସେଠାରେ ଅଧିକାଂଶ ଆକ୍ରାନ୍ତ ଟିକା ନେଇ ନଥିବା ଜଣାପଡିଛି। ତାହାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନେଇଛି। ଏନେଇ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ବିଭିନ୍ନ ରାଜ୍ୟର ସଚିବଙ୍କ ସହ ଆଲୋଚନା କରି ଟିକାଦାନକୁ ତ୍ବରାନ୍ବିତ କରିବା ସହିତ ସଂକ୍ରମଣ ରୋକିବା ଲାଗି କେତେକ ମାର୍ଗଦର୍ଶନ ମଧ୍ୟ କରାଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ସୋମବାର ୨୨୨୪ଟି କେନ୍ଦ୍ରରେ ୨ଲକ୍ଷ ୯୩ହଜାର ୧୦ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୩କୋଟି ୭୫ଲକ୍ଷ ୫୭ହଜାର ୧୫୭ରେ ପହଞ୍ଚିଛି। ଇତିମଧ୍ୟରେ ୧୮ରୁ ୪୪ବର୍ଷ ମଧ୍ୟରେ ଯୁବବର୍ଗଙ୍କ ଟିକାକରଣ ହାର ୭୩ ପ୍ରତିଶତ ପାର୍ କରିଥିବାବେଳେ ୪୫ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କ ହାର ୮୧ ପ୍ରତିଶତ ଡେଇଁଛି। ଶତପ୍ରତିଶତ ସ୍ବାସ୍ଥ୍ୟ କର୍ମୀ ପ୍ରଥମପାନ ଟିକା ନେଇଥିବାବେଳେ କରୋନା ଯୋଦ୍ଧାଙ୍କ ହାର ୯୯ପ୍ରତିଶତକୁ ଛୁଇଁଛି । ଆଜିର ଟିକାକରଣ ପରେ ଗର୍ଭବତୀଙ୍କ ସଂଖ୍ୟା ୨ଲକ୍ଷ ୬୯ହଜାର ୮୦୨ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.