ଠକେଇ ଅଭିଯୋଗରେ ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ

ସମ୍ବଲପୁର : ବିଜୁ ଜନତା ଦଳ(ବିଜେଡ଼ି) ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ମଙ୍ଗଳବାର ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି। ଏହା  ସହିତ କ୍ଷୀରୋଦଙ୍କ ପୁଅ ଦେବବ୍ରତ ମଲ୍ଲିକ ମଧ୍ୟ ଗିରଫ ହୋଇଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗରେ ମୁମ୍ବଇ କ୍ରାଇମବ୍ରାଞ୍ଚ ସମ୍ବଲପୁରରୁ କ୍ଷୀରୋଦଙ୍କୁ ଗିରଫ କରିଥିବା ଜଣାପଡିଛି।
ପୂର୍ବରୁ ଚିଟଫଣ୍ଡ ମାମଲାରେ କ୍ଷୀରୋଦ ମଲ୍ଲିକ ଜେଲ ଯାଇଥିଲେ। ୨୦୧୪ମସିହାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କ୍ଷୀରୋଦଙ୍କୁ ଗିରଫ କରିଥିଲା। ରାଜ୍ୟର କ୍ଷୁଦ୍ର ଜମାକାରୀଙ୍କଠାରୁ ସେ ପାଖାପାଖି ୧୦କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା। ସମ୍ବଲପୁରରେ ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି-ବିଶ୍ବ ନାମକ ଏନଜିଓ ଆଳରେ କ୍ରେଡିବଲ ମାଇକ୍ରୋ ଫାଇନାନ୍ସ ଲିମିଟେଡ ସଂସ୍ଥାର ପରିଚାଳନା ନିର୍ଦେଶକ ପଦରେ ରହି କ୍ଷୀରୋଦ କୋଟି କୋଟି ଟଙ୍କା ଲୋକଙ୍କଠାରୁ ଠକି ନେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକଙ୍କଠାରୁ ଅର୍ଥ ସଂଗ୍ରହ ପାଇଁ ସେହି ସଂସ୍ଥାକୁ ଅନୁମତି ଦେଇନଥିଲେ ମଧ୍ୟ ସେ ଜାଲ ପ୍ରମାଣପତ୍ର ବଳରେ ଓଡ଼ିଶା ସମେତ ଝାଡଖଣ୍ଡ, ବିିହାର ଏବଂ ଦିଲ୍ଲୀରୁ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲେ।

Comments are closed.