୧୯ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ବର : ରାଜ୍ୟ ଅବକାରୀ ବିଭାଗକୁ ବୁଧବାର ବଡ଼ ସଫଳତା ମିଳିଛି। ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ନିଶା ଔଷଧ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ଚଢ଼ଉ ବେଳେ ୧୯କୁଇଣ୍ଟାଇ ୭୨ କିଲୋଗ୍ରାମ ଗଞ୍ଜେଇ, ୯୬ ବୋତଲ କଫସିରପ, ୨୦୦ଟି ଇଞ୍ଜେକ୍ସନ, ୧୮୫୦ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ସହ ଗୋଟିଏ ଟ୍ରକ୍‌ ଓ ଗୋଟିଏ କାର୍‌ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ସମୟରେ ଗଜପତି ଜିଲା ଅବକାରୀ ଅଧିକାରୀମାନେ ଏକ ଟ୍ରକ୍‌କୁ ମାଲବାଘାଟି ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଟ୍ରକ୍‌ରୁ ଅବକାରୀ ଅଧିକାରୀମାନେ ୧୯କୁଇଣ୍ଟାଇ ଗଞ୍ଜେଇ ଜବତ କରିବା ସହିତ ଆଲୋକ ରଞ୍ଜନ ସ୍ୱାଇଁଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ପଲିଥିନ ମୁଣାରେ ଗଞ୍ଜେଇକୁ ଦୁଇ ଚାରି ପରସ୍ତ ଜରି ଅଖାରେ ପୂରାଇ ଚାଲାଣ କରୁଥିଲା। ସେହିପରି ନୂଆପଡା ଜିଲାରେ ନିଶା ଔଷଧ କାରବାର ଅଭିଯୋଗରେ ନୂଆପଡା ଅବକାରୀ ବିଭାଗର ସ୍ବତନ୍ତ୍ର ଭ୍ରାମ୍ୟମାଣ ଦଳ ଖରିଆର ରୋଡ଼ ନିକଟରେ ଚଢ଼ଉ କରି ୯୬ ବୋତଲ କଫ ସିରପ, ୨୦୦ଟି ଇଞ୍ଜେକ୍ସନ, ୧୮୫୦ଟି ବଟିକା ଓ ୨୦୧୬ ନିଶାଯୁକ୍ତ ବଟିକା ଜବତ କରିବା ସହ ଜଣେ ବ୍ୟବସାୟୀକୁ ଗିରଫ କରିଥିଲେ।
ସେହିପରି କଟକ ଅବକାରୀ ବିଭାଗର ଅଧିକାରୀ ମଙ୍ଗୁଳି ଛକ ନିକଟରେ ଏକ ଇଣ୍ଡିଗୋ କାର୍‌କୁ ଅଟକାଇ ଯାଞ୍ଚ କରିଥିଲେ। କାର୍‌ ଭିତରୁ ୭୨ କିଲୋ ଗଞ୍ଜେଇ ଜବତ ସହ କାର୍‌ ଚାଳକଙ୍କୁ ଗିରଫ କରିଥିଲେ।

Comments are closed.