ଚିନ୍ତା ବଢାଉଛି ୪ ରାଜ୍ୟ, ପ୍ରଥମ ପାନ ଟିକା ନେଲେଣି ୫୪ % ଲୋକ

କରୋନା ସଂକ୍ରମଣ ଓ ଟିକାକରଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ତେବେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ୪ଟି ରାଜ୍ୟରେ ୧୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ କୋଭିଡ୍‍ ସଂକ୍ରମିତ ରହିଛନ୍ତି। କେରଳ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି ୧ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ନୂଆଦିଲ୍ଲୀଠାରେ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଦେଶର ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦ହଜାରରୁ କମ୍‍ କୋଭିଡ୍‍ ସଂକ୍ରମିତ ରହିଛନ୍ତି। ଶ୍ରୀ ଭୂଷଣ କହିଛନ୍ତି,  ଗତ ଜୁନ୍‍ ମାସରେ ଦେଶର ୨୭୯ଟି ଜିଲ୍ଲାରେ ଦୈନିକ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ମାସରେ ଦୈନିକ ୧୦୦ ଜଣ ସଂକ୍ରମିତ ହୋଇଥିବା ଜିଲ୍ଲା ସଂଖ୍ୟା ୪୨କୁ ହ୍ରାସ ପାଇଛି।

ସେହିପରି ଟିକାକରଣ ସଂପର୍କରେ ସେ କହିଛନ୍ତି, ସିକିମ୍‍, ଦାଦ୍ରା ଓ ନଗରହାବେଲି ଏବଂ ହିମାଚଳ ପ୍ରଦେଶରେ ଶତ ପ୍ରତିଶତ ଲୋକଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକାର ପ୍ରଥମ ପାନ ଦିଆଯାଇଛି। ୧୮ବର୍ଷରୁ ଅଧିକ ବୟସ ବର୍ଗର ଲୋକମାନଙ୍କୁ ଏହି ଟିକା ଦିଆଯାଇଛି। ଅନ୍ୟପକ୍ଷରେ ଦେଶର ଶତକଡ଼ା ୧୬ ଭାଗ ଲୋକ ଦୁଇଟିଯାକ ପାନ କୋଭିଡ୍‍ ପ୍ରତିଷେଧ ନେଇଥିବା ବେଳେ ଶତକଡ଼ା ୫୪ ଭାଗ ଲୋକ ପ୍ରଥମ ପାନ ପ୍ରତିଷେଧକ ଟିକା ନେଇଛନ୍ତି। ସେ କହିଛନ୍ତି, ଗତ ମାସରେ ୧୮ କୋଟି ୩୮ଲକ୍ଷ ପାନ ପ୍ରତିଷେଧକ ଦିଆଯାଇଛି।

ସେ କହିଛନ୍ତି, ଅଗଷ୍ଟ ମାସରେ ଦୈନିକ ହାରାହାରି ୫୯ଲକ୍ଷ ୨୯ହଜାର ଡୋଜ୍‍ କୋଭିଡ୍‍ ପ୍ରତିଷେଧକ ଦିଆଯାଇଛି । ଗତ ସପ୍ତାହରେ ଦୈନିକ ହାରାହାରି ୮୦ଲକ୍ଷ ଡୋଜ୍‍ କୋଭିଡ୍‍ ପ୍ରତିଷେଧକ ଦିଆଯାଇଛି।

Comments are closed.