ବ୍ୟାଙ୍କ କର୍ମଚାରୀ ମାଲାମାଲ: ୧୫% ବେତନ ବୃଦ୍ଧି, ୨୦୧୭ ନଭେମ୍ବରରୁ ମିଳିବ ବକେୟା

କରୋନା ସମୟରେ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ଏଣିକି ବ୍ୟାଙ୍କ କର୍ମଚାରୀମାନେ ପାଇବେ ୧୫% ଅଧିକ ବେତନ । କୋଭିଡ୍‌-୧୯ ସମୟରେ ବି ବ୍ୟାଙ୍କ କର୍ମଚାରୀଙ୍କୁ ଏହି ବର୍ଦ୍ଧିତ ବେତନ ମିଳିବ । ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଏବଂ ବ୍ୟାଙ୍କ ୟୁନିଅନ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ମଧ୍ୟରେ ଏ ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଛି ।  ବ୍ୟାଙ୍କ କର୍ମଚାରୀଙ୍କୁ ଏହି ବର୍ଦ୍ଧିତ ବେତନ ରାଶି ବକେୟା ଭାବେ ୨୦୧୭ ନଭେମ୍ବରଠାରୁ ମିଳିବ । ଏହା କାର୍ଯ୍ୟକାରୀ ହେବା ପରେ ବାର୍ଷିକ ବେତନ ବାବଦରେ ୭୮୯୮ ​କୋଟି ଟଙ୍କା ରାଜସ୍ବ ଭାର ପଡ଼ିବ। ଏହା ଲାଗୁ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ନୂଆ ବେତନ ମାନ(ପେ ସ୍କେଲ) ପ୍ରସ୍ତୁତ ହେବ । ଏହାଛଡା ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ପ୍ରଦର୍ଶନ ସଂଯୁକ୍ତ ପ୍ରୋତ୍ସାହନ ରାଶି ବ୍ୟବସ୍ଥା ଲାଗୁ କରାଯିବ । ଏହି ରାଶି ବ୍ୟାଙ୍କର ବାର୍ଷିକ ଲାଭ ଏବଂ ପରିଚାଳନାକୁ ଭିତ୍ତି କରି ମିଳିବ । ଏହି ଅର୍ଥ ବେତନ ବାଦ୍‌ ବା​ର୍ଷିକ ଭିତ୍ତିରେ କର୍ମଚାରୀଙ୍କୁ ମିଳିବ । ଚୁକ୍ତି ଅନୁଯାୟୀ, ବ୍ୟାଙ୍କ କର୍ମଚାରୀଙ୍କ ବେତନରୁ ଏନ୍‌ପିଏସ୍‌ (ନ୍ୟାସନାଲ ପେନସନ୍‌ ସ୍କିମ୍‌)କୁ ଯୋଗଦାନ ବର୍ତ୍ତମାନର ୧୦%ରୁ ୧୪%କୁ ବୃଦ୍ଧି କରାଯାଇଛି । କର୍ମଚାରୀଙ୍କ ମୂଳ ଦରମା(ବେସିକ୍‌ ପେ) ଏବଂ ମହଙ୍ଗା ଭତ୍ତା(ଡିଏ) ମିଶି ୧୦% ହେଉଥିଲା, ଯାହାକୁ ବର୍ତ୍ତମାନ ୧୪% କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ପରିବାର ପେନ୍‌ସନ୍‌ ୩୦%କୁ ବୃଦ୍ଧି କରାଯାଇଛି । କେବଳ ଆଗକୁ ଏସବୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିବା ବାକି ରହିଛି ।

Comments are closed.