ଜଳାଭାବ: ପିଇବାକୁ ପାଣି ନ ପାଇ ୧୫ ମାଙ୍କଡ଼ ମୃତ

ଭୋପାଳ: ଉତ୍ତର ଏବଂ ମଧ୍ୟ ଭାରତରେ ଭୀଷଣ ଗରମ ହେଉଥିବାରୁ ଜନସାଧାରଣଙ୍କ ସମେତ ପଶୁପକ୍ଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ତାପମାତ୍ରା ବୃଦ୍ଧି ଯୋଗୁ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଜଳାଭାବ ଯୋଗୁ ପଶୁପକ୍ଷୀମାନେ ଡହଳବିକଳ ହେଉଛନ୍ତି। ଏହା ମଧ୍ୟରେ ପିଇବାକୁ ପାଣି ନ ପାଇ ଦେୱାସ ଜିଲାର ପୁଞ୍ଜାପୁରା ରେଞ୍ଜ ଅନ୍ତର୍ଗତ ଜୋଶୀବାବା ଜଙ୍ଗଲରେ ୧୫ ମାଙ୍କଡ଼ଙ୍କ ମୃତ୍ୟୁ ଘଟିଚି। ଅଂଶୁଘାତରେ ଏମାନଙ୍କ ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବନ ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଜଙ୍ଗଲଠାରୁ ୮ଶହ ମିଟର ଦୂରରେ ଏକ ନଦୀ ରହିଛନ୍ତି। କିନ୍ତୁ ସେଥିରେ ପାଣି ନାହିଁ। ଗୋଟିଏ ସ୍ଥାନରେ ଅଳ୍ପ ପାଣି ରହିଛି। ତାହାକୁ ୫୦ରୁ ୬୦ ହନୁ ମାଙ୍କଡ଼ ଦଳ ଘେରି ରହିଛନ୍ତି। ଅନ୍ୟ ହନୁ ମାଙ୍କଡ଼ଙ୍କୁ ସେଠାରେ ପାଣି ପିଇବାକୁ ସୁଯୋଗ ଦେଉନାହାନ୍ତି। ଏହି କାରଣରୁ ଶନିବାର ୧୫ ମାଙ୍କଡ଼ ପିଇବାକୁ ପାଣି ନ ପିଇ ପ୍ରାଣ ହରାଇଛନ୍ତି।

Comments are closed.