କେନ୍ଦ୍ର ଦେଲା ହିତାଧିକାରୀଙ୍କ ତାଲିକା : ଟିକା ନେବେ ୨୩ ଲକ୍ଷ ୬୫ ହଜାର କିଶୋର

ଭୁବନେଶ୍ବର : କେନ୍ଦ୍ର ମାର୍ଗଦର୍ଶିକା ଅନୁଯାୟୀ, ଆସନ୍ତା ୩ ତାରିଖରୁ ରାଜ୍ୟରେ ୧୫ରୁ ୧୮ବର୍ଷ ବୟସ୍କ କିଶୋର-କିଶୋରୀଙ୍କୁ ଟିକାଦାନ କରାଇବା ନେଇ ରାଜ୍ୟ ସରକାର ପ୍ରସ୍ତୁତି କରିଥିବାବେଳେ ଆଜି ବିଧିବଦ୍ଧ ଭାବେ କେନ୍ଦ୍ର ସରକାର ଟିକାକରଣ ନେଇ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୫ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ ବୋଲି ସୂଚନା ମିଳିଛି । ଏଥିପାଇଁ ପହିଲା ପଞ୍ଜୀକରଣ ଆରମ୍ଭ ହେବ। ସଂଚାର ଓ ଟିକାକରଣ କେନ୍ଦ୍ରରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ। ପୂର୍ବରୁ କେନ୍ଦ୍ର ସରକାର ଯୋଗାଇଥିବା କୋଭାକ୍ସିନ୍‌ ଟିକା ଏବେ ରାଜ୍ୟରେ ୧୪ ଲକ୍ଷ ମହଜୁଦ ରହିଛି। ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ଟିକା ଉପଲବ୍ଧ କରାଯିବ। ତେଣୁ ସବୁ ଜିଲାକୁ ଆବଶ୍ୟକତା ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ। ସଠିକ ସମୟରେ ସମସ୍ତେ ଟିକା ନେଲେ ଏକ ମାସ ଭିତରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଶେଷ ହେବ। ଟିକାକରଣ କେନ୍ଦ୍ରରେ ସକାଳ ବେଳା ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟୀକାଦାନ ହେବ। ଅପରାହ୍ଣରେ ଅନ୍ୟମାନଙ୍କ ଟୀକାକରଣ ହେବ। ୧୫-୧୮ ବର୍ଷ ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Comments are closed.