ଦିନକରେ ଟିକା ନେଲେ ୪୦ ଲକ୍ଷ କିଶୋର

ନୂଆଦିଲ୍ଲୀ : ସୋମବାରଠାରୁ ଦେଶରେ ୧୫ରୁ ୧୮ବର୍ଷର କିଶୋର ଓ କିଶୋରୀଙ୍କୁ ଟିକାକରଣ କରାଯାଇଛି। କୋ-ୱିନ ଆପ୍‌ର ତଥ୍ୟ ଅନୁଯାୟୀ ସନ୍ଧ୍ୟା ୮ଟା ସୁଦ୍ଧା ଏହି ବର୍ଗର ପ୍ରାୟ ୪୦ଲକ୍ଷ ପିଲା ଟିକା ନେଇଛନ୍ତି। କିଶୋରମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯାଇଛି। କର୍ଣ୍ଣାଟକ ୩ଲକ୍ଷ ୮୦ ହଜାର କିଶୋର ଟିକା ନେଇଥିବା ରାଜ୍ୟ ସରକାର କହିଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ମହାରାଷ୍ଟ୍ର ସରକାର ରାଜ୍ୟର ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଛତିଶଗଡର ସୁକ୍‌ମା ରେଞ୍ଜରେ ମୁତୟନ ସିଆରପିଏଫ୍ କୋବ୍ରା ବାଟାଲିୟନ୍‌ର ୩୮ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ଆଇଆଇଟି ଖଡଗପୁରର ୩୧ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝି, ତାଙ୍କ ପତ୍ନୀ, ଝିଅ ଓ ବୋହୂ ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦରବାରରେ ଉପସ୍ଥିତ ୧୪ଜଣ ସଂକ୍ରମିତ ହୋଇଛନ୍ତି।
ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି; ଫଳରେ ଦୈନିକ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୫୧ ଓ କେରଳରେ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆର୍ଯ୍ୟନ୍‌ ଖାଁ ମାମଲାରେ ଚର୍ଚ୍ଚିତ ମୁମ୍ବଇର ବିଳାସପୂର୍ଣ୍ଣ ଯାତ୍ରୀବାହୀ ଜାହାଜ (କ୍ରୁଜ୍) କୋର୍ଡେଲିଆର ୬୬ ଯାତ୍ରୀ ସଂକ୍ରମିତ ହୋଇଛନ୍ତି। ଜାହାଜରେ ୨୦୦୦ରୁ ଅଧିକ ଯାତ୍ରୀ ଥିବାବେଳେ ରବିବାର ଜଣେ ସଂକ୍ରମିତ ହୋଇଥିଲେ। ପରେ ଅନ୍ୟ ଯାତ୍ରୀ ଓ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ ୬୬ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି।

Comments are closed.