ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରେ ୧୪୪ଧାରା ଜାରି

ଜନସାଧାରଣଙ୍କ ସହଯୋଗ ଲୋଡିଲେ ଆଠଗଡ ଉପଖଣ୍ଡ ପ୍ରଶାସନ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରେ ଶାନ୍ତିଭଙ୍ଗ ହେବାର ସମ୍ଭାବନା ରହିଥିବାରୁ ଆସନ୍ତା କାଲି (ଗୁରୁବାର) ଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚିକିତ୍ସାଳୟ ପରିସର ଓ ତତ୍ ସଂଲଗ୍ନ ଅଞ୍ଚଳରେ ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯିବ। ରୋଗୀମାନେ ଚିକିତ୍ସାଳୟ ପରିସରରେ ୫ଜଣରୁ ଅଧିକ ଏକତ୍ରୀତ ରହିବେ ନାହିଁ । ଜଣ ଜଣ କରି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ନେଇ ଯାତାୟାତ କରିପାରିବେ । କୌଣସି ପରିସ୍ଥିିତିରେ ୫ଜଣରୁ ଅଧିକ ଜନସାଧାରଣ ଏକତ୍ରୀତ ନ ହେବା ପାଇଁ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ନିବେଦନ କରିବା ସହ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ପରିସ୍ଥିତି ଉପରେ  ତୀକ୍ଷ୍ଣ ନଜର ଦେବା ପାଇଁ ଖୁଣ୍ଟୁଣୀ ଥାନାଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆଙ୍କ ନେତୃତ୍ୱରେ ଚିକିତ୍ସାଳୟ ପରିସରରେ ଫୋର୍ସ ମୁତୟନ ହେବେ ।

ପ୍ରକାଶଯୋଗ୍ୟ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ବହୁ ଶଯ୍ୟା ବିଶିଷ୍ଟ କରିବା କ୍ଷେତ୍ରରେ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି । ଏପରିକି ରାଷ୍ଟ୍ରୀୟ ଲୋକ ଅଦାଲତରେ ଖୁଣ୍ଟୁଣୀ ଚିକିତ୍ସାଳୟକୁ ଉନ୍ନତିକରଣ କରିବା କ୍ଷେତ୍ରରେ ସୁବିଚାର ନେଇ ଦେଇଥିବା ରାୟକୁ କାର୍ଯ୍ୟକାରୀ ସରକାର କରିନାହାନ୍ତି । ଏଥିପାଇଁ ଆଞ୍ଚଳିକ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ସମାଜସେବୀ ଗୌରହରି ମହାନ୍ତି ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଚିକିତ୍ସାଳୟ ପରିସରରେ ଆତ୍ମାହୁତି ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏ ନେଇ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କୁ ଲିଖିତ ଅବଗତ କରାଇଛନ୍ତି । ଖୁଣ୍ଟୁଣୀ ପୁଲିସ ପକ୍ଷରୁ ସମାଜସେବୀ ଶ୍ରୀ ମହାନ୍ତି ଆତ୍ମାହୁତି କାର୍ଯ୍ୟରୁ ବିରତ ହେବା ପାଇଁ ଏକ ବୈଠକ କରି କୁହାଯାଇଥିଲା। ହେଲେ ଶ୍ରୀ ମହାନ୍ତି ସେଥିରେ ଅନିଚ୍ଛା ପ୍ରକାଶ କରିବା ସହ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ କହିଥିଲେ । ତେଣୁ ଶାନ୍ତିଭଙ୍ଗ ଅଭିଯୋଗରେ ଆଠଗଡ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଶ୍ରୀ ମହାନ୍ତିଙ୍କୁ ଆଜି ବ୍ୟକ୍ତିଗତ ହାଜର ପାଇଁ ଡାକିଥିଲେ । ଶ୍ରୀ ମହାନ୍ତି ବ୍ୟକ୍ତିଗତ ହାଜର ହେବା ସହ ମାଜିଷ୍ଟ୍ରେଟଙ୍କୁ ଲିଖିତ ଉତ୍ତର ଦେଇଥିଲେ । ପ୍ରଥମେ ଧାରଣା ,ଏହାପରେ ଉପବାସ ଓ ଶେଷର ୧୫ ତାରିଖ ସ୍ୱାଧୀନତା ଦିବସରେ ଶ୍ରୀ ମହାନ୍ତି ଆତ୍ମାହୁତି ଦେବା ପାଇଁ ନିଷ୍ପତି ନେଇଛନ୍ତି ।

Comments are closed.