ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଜାରି, ଜଳିବନି କାଉଁରିଆ କାଠି

ପୁରୀ: ଦୀପାବଳି ଅମାବାସ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଗଣ ଦୀପଦାନ ଓ କାଉଁରିଆ କାଠି ଜଳାଇବାକୁ ବାରଣ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଏଭଳି କଟକଣା କରାଯାଇଛି। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରିଛି ଜିଲା ପ୍ରଶାସନ। ଗୁରୁବାର ଭୋର ୪ଟାରୁ ୧୪୪ ଧାରା ଜାରି କରାଯାଇଛି ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ସିଂହଦ୍ବାର ସମ୍ମୁଖରେ ଦୀପଦାନ, ପୟାଶ୍ରାଦ୍ଧ ଏବଂ କାଉଁରିଆ ଜାଳି ବଡ଼ବଡୁଆ ଡାକିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୋଭିଡ କଟକଣା ଉଲ୍ଲଙ୍ଘନ ଆଶଙ୍କା କରି ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ଜିଲା ପ୍ରଶାସନ। ୧୪୪ଧାରା ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକଣା କଡ଼ା କଡ଼ି କାର୍ଯ୍ୟକାରୀ ପାଇଁ ପୁଲିସକୁ ନିର୍ଦେଶ ଦିଆଯାଇଛି। ଦୀପାବଳି ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ସକାଳୁ ରାତି ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.