ସକାଳ ୬.୩୦ରୁ ୯ଟା ଗାନ୍ଧୀମାର୍ଗରେ ୧୪୪

ଭୁବନେଶ୍ୱର: ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସର‌େ‌ର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ ପାଇଁ କମିସନରେଟ ପୁଲିସ ପକ୍ଷରୁ ସୋମବାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି। ଡିସିପିଙ୍କ ସମେତ ପୁଲିସର ବରିଷ୍ଠ ଅଧିକାରୀ ଗାନ୍ଧୀମାର୍ଗର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

କୋଭିଡ କଟକଣା କାରଣରୁ ଦର୍ଶକଙ୍କୁ ପରେଡ୍‌ ସ୍ଥଳକୁ ବାରଣ କରାଯାଇଛି। ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବେ ଓ ପରେ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହି ଅବସରରେ ବଡ଼ ଧରଣର ସଭା ଆ‌େୟାଜନ ହେବ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ। ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ତେବେ ସକାଳ ୬.୩୦ରୁୁ ଦିନ୯ଟା ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରୁ ଗାନ୍ଧୀ ମାର୍ଗ ରାସ୍ତା ବନ୍ଦ ରହିବ। ଏଥିପାଇଁ ସେଠାରେ ୧୪୪ ଧାରା ଜାରି ହୋଇଛି।

ଗାନ୍ଧୀମାର୍ଗକୁ ଯିବା ନେଇ ସାଧାରଣ ଲୋକଙ୍କ ପାଇଁ କଟକଣା ରହିଥିବାବେଳେ ନିମନ୍ତ୍ରିତ ଅତିଥିମାନେ ସ୍ବତନ୍ତ୍ର ରୁଟ୍‌ ଦେଇ ପ୍ରବେଶ କରିବେ। ମାଷ୍ଟରକ୍ୟାଣ୍ଟିନ ପଟରୁ ଗାନ୍ଧୀମାର୍ଗରେ ପ୍ରବେଶ ନେଇ କଟକଣା ରହିଛି। ଅତିଥିଙ୍କ ପାଇଁ ସ୍ବତନ୍ତ୍ର ରୁଟ୍‌ ବ୍ୟବସ୍ଥା କରାଯାଇଛି। ହାଉସିଂବୋର୍ଡ ପଟରୁ ଆସିବାକୁ ଥିବା ଅତିଥିମାନେ ରବୀନ୍ଦ୍ରମଣ୍ଡପ ଦେଇ ଆସିବା ପରିବର୍ତ୍ତେ କେଶରୀ ଟକିଜ୍‌ ରାସ୍ତାରୁ ବାମ ପଟ ରାସ୍ତା ଦେଇ ପରେଡ ସ୍ଥଳକୁ ଆସିବେ। ଏଜି ଛକ ପଟରୁ ଜୟଦେବ ଭବନ, ଇଡକଲ ଅଡ଼ିଟୋରିୟମ୍‌ ଦେଇ ପ୍ରବେଶ କରିବେ। ସେହିପରି ୧୨୦ ବାଟାଲିୟନରୁ ଆସିବାକୁ ଥିବା ଯାନବାହନ ସବୁ ରବୀନ୍ଦ୍ରମଣ୍ଡପ, ଏମ୍‌ଏଲ୍‌ଏ କଲୋନୀ ଦେଇ ୟୁନିଟ୍‌-୪ ରାସ୍ତାରେ ବାହାରିବେ ବୋଲି ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସୋମବାର ରାତିରେ ସହରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂକୁ ଗୁରୁତ୍ବ ଦିଆଯାଇଛି। କିଛି ହୋଟେଲରେ ପୁଲିସ ଅତର୍କିତ ଯାଞ୍ଚ ମଧ୍ୟ କରିଛି।

Comments are closed.