କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣା ଜାରୀ

ମଧ୍ଯାହ୍ନ ୧ଟାରେ ପଞ୍ଚାନନ ବେଶ, ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶ, ପୀଠରେ ୧୪୪ଧାରା ଜାରୀ

ଆରଡି :  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭଡ-୧୯ ଭୟଭୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ ପୀଠରେ ୧୪୪ଧାରା ଜାରୀ କରାଯିବା ସହ ପ୍ରଶାସନ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଛି । ଏଥିପାଇଁ ସ୍ବତନ୍ତ୍ର କଟକଣା ଜାରୀ କରିଛି ପ୍ରଶାସନ। ଅନ୍ୟପଟେ ମଣିବାବାଙ୍କର ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ ହରଗୌରୀ ବେଶ କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ କରିବା ପାଇଁ ପ୍ରଶାସନ ସେବାୟତଙ୍କୁ ପରାମର୍ଶ ଦେଇଛି । ଭୋର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ମଧ୍ୟାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ ବାବା । ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳ ପଥରେ  ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨ଦିନ କଟକଣା ପରେ ଆସନ୍ତା ରବିବାର ସକାଳ ୬ଟାରେ ବାବାଙ୍କ ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ।

Comments are closed.