ତିରୁପତି ବାଲାଜୀ ମନ୍ଦିରରେ ପଶିଲା କରୋନା: ୧୪ ପୂଜାରୀଙ୍କ ସମେତ ୧୪୦ କର୍ମଚାରୀଙ୍କୁ କରୋନା

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ବି ପଶିଛି କରୋନା । ସଂକ୍ରମଣ ରୋକିବାର ସମସ୍ତ ବନ୍ଦୋବସ୍ତ ସତ୍ତ୍ବେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିଛି । ବର୍ତମାନ ସୁଦ୍ଧା ତିରୁପତି ବାଲାଜୀ ଟ୍ରଷ୍ଟର ୧୪୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪ ଜଣ ପୂଜାରୀ ଅନ୍ତର୍ଭୁକ୍ତ । ମାମଲା ବଢ଼ିବା ପରେ କିଛିଦିନ ମନ୍ଦିର ବନ୍ଦ କରିବା ନିମନ୍ତେ କର୍ମଚାରୀ ସଂଗଠନ ଓ ରାଜନୈତିକ ଦଳ ଚାପ ପ୍ରୟୋଗ କରିିବା ଆରମ୍ଭ କରିଛନ୍ତି । ମାତ୍ର ଟ୍ରଷ୍ଟ ଏବେ ମନ୍ଦିର ବନ୍ଦ କରିବା ସପକ୍ଷରେ ନାହିଁ ।

ଜୁନ୍ ୮ ତାରିଖରେ ଅନଲକ୍ ୧ ପରେ ମନ୍ଦିର ଖୋଲା ଯାଇଥିଲା । ୧୧ ଜୁନଠାରୁ ମନ୍ଦିରକୁ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଅନୁମତି ମିଳିଥିଲା । ଏହାର ୨ ଦିନ ପରେ ମନ୍ଦିରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । ଜୁନ ମାସରେ ମନ୍ଦିରକୁ ହାରାହାରି ଦୈନିକ ୧୫ ହଜାର ଲୋକ ଦର୍ଶନ ନିମନ୍ତେ ଆସୁଥିଲେ । । ମାତ୍ର ମନ୍ଦିର କର୍ମଚାରୀଙ୍କୁ କରୋନା ହୋଇଥିବା ଖବର ପ୍ରଚାରିତ ହେବା ପରେ ଏହି ସଂଖ୍ୟା ୮ ରୁ ୯ ହଜାରକୁ ହ୍ରାସ ପାଇଛି ।

ozon sprey system : Tirupati balaji temple

ମନ୍ଦିରରେ ସଂକ୍ରମଣ ବୃଦ୍ଧି ପରେ ଦର୍ଶନ ବନ୍ଦ କରିବାକୁ ଦାବି ଉଠିଛି । ଗୁରୁବାର କର୍ମଚାରୀ ସଂଗଠନ ଟ୍ରଷ୍ଟକୁ ବର୍ତମାନ ମନ୍ଦିର ବନ୍ଦ ନିମନ୍ତେ ପ୍ରସ୍ତାବ ଦେଇଛି । ଏହାଦ୍ବାରା କର୍ମଚାରୀ ଓ ପୂଜାରୀଙ୍କ ମଧ୍ୟରେ କରୋନା ବ୍ୟାପିବାକୁ ରୋକାଯାଇ ପାରିବ ବୋଲି କର୍ମଚାରୀ ସଂଗଠନର ମତ । ଅନ୍ୟପକ୍ଷରେ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଆନ୍ଧ୍ର ସରକାରଙ୍କୁ ମନ୍ଦିରରେ ସ୍ଥିତି ଖରାପ ହେବା ପୂର୍ବରୁ ପଦକ୍ଷେପ ଗ୍ରହଣ ନିମନ୍ତେ ଅନୁରୋଧ କରିଛନ୍ତି । ଟ୍ରଷ୍ଟ ଅଧ୍ୟକ୍ଷ ୱାଇ.ଭି.ସୁବାରେଡ଼୍ଡ଼ୀ କହିଛନ୍ତି ଯେ ମନ୍ଦିରର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି । ଏଥିପାଇଁ ମନ୍ଦିର ବନ୍ଦ କରିବା ନିମନ୍ତେ କୌଣସି ପ୍ରସ୍ତାବ ନାହିଁ । ଯେଉଁ କର୍ମଚାରୀମାନେ ପଜିଟିଭ୍ ରହିଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇନ କରାଯାଇଛି ।

ତିରୁପତି ବାଲାଜୀ ମନ୍ଦିରରେ ପ୍ରବେଶ ସମୟରେ ଯାନ୍ତ୍ରିକ ଉପାୟରେ କ୍ରମାଗତ ସାନିଟାଇଜ କରାଯାଉଛି । ତିରୁପତି ବାଲାଜୀ ମନ୍ଦିର ବୋଧହୁଏ ଏକମାତ୍ର ମନ୍ଦିର ଯେଉଁଠି ସଂକ୍ରମଣକୁ ରୋକିବା ନିମନ୍ତେ ଓଜୋନ ସ୍ପେ୍ର ବ୍ୟବସ୍ଥା ଲଗାଯାଇଛି । ଏହାଦ୍ବାରା ମନ୍ଦିରରେ ପ୍ରବେଶ କରୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଉପରେ ସଂକ୍ରମଣ ନିରୋଧୀ ବାଷ୍ପ ପ୍ରୟୋଗ କରାଯାଉଛି । ଏହା ସତ୍ତ୍ବେ ମନ୍ଦିରରେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Comments are closed.