ଆଜି ୧୪ଘଣ୍ଟିଆ ଜନତା କର୍ଫ୍ୟୁ

- ବସ୍‍, ଅଟୋ ସେବା ବନ୍ଦ - ଛତ୍ରବଜାର, ମାଲଗୋଦାମ ବି ଖୋଲିବନି

କଟକ: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୪ଘଣ୍ଟିଆ ଜନତା କର୍ଫ୍ୟୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ କଟକରେ ପାଳନ କରିବାକୁ ପ୍ରାୟ ସବୁବର୍ଗର ଜନସାଧାରଣ ସମର୍ଥନ ଜଣାଇଛନ୍ତି। ଆଜି ସକାଳ ୬ଟାରୁ ରାତି ୯ଟା ପର୍ୟ୍ୟନ୍ତ ସହର ଏକ ପ୍ରକାର ବନ୍ଦ ରହିବ। ଏହି ଜନତା କର୍ଫ୍ୟୁକୁ ସମର୍ଥନ କରି ଘରୋଇ ବସ୍‍ ମାଲିକ ସଂଘ ଆଜି ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି। ଫଳରେ ଆଜି ରାଜ୍ୟରେ ପ୍ରାୟ ୧୪ହଜାର ଘରୋଇ ବସ ଚଳାଚଳ କରିବନି। ସେହିପରି ସହରରେ ଯାତ୍ରୀ ପରିବହନର ମୁଖ୍ୟ ଅଟୋ ଚଳାଚଳ ମଧ୍ୟ ରହିବ। ଜନତା କର୍ଫ୍ୟୁକୁ କଡାକଡି କରିବା ପାଇଁ କମିସନରେଟ ପୁଲିସ ତତ୍ପର ହୋଇପଡିଛି। ବିଭିନ୍ନ ଥାନା ପକ୍ଷରୁ ପିସିଆର ଭ୍ୟାନ ଓ ପୁଲିସ ଗାଡି ସହାୟତାରେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କେନ୍ଦ୍ରକୁ ବାଦ ଦେଇ ଅନ୍ୟ ଦୋକାନଗୁଡିକ ବନ୍ଦ ରଖିବାକୁ ବ୍ୟବସାୟୀଙ୍କୁ ପୁଲିସ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦ ତାଲିକାରୁ ଔଷଧ ଦୋକାନ, ଗ୍ରୋସରୀ, ପରିବା, ମାଛ, ଅଣ୍ଡା ଦୋକାନକୁ ବାଦ ଦିଆଯାଇଛି। ଜନତା କର୍ଫ୍ୟୁ ପରିପ୍ରେକ୍ଷୀରେ ରାଜ୍ୟର ବ୍ୟବସାୟ ପ୍ରାଣକେନ୍ଦ୍ର ମାଲଗୋଦାମ ଓ ସର୍ବବୃହତ ପରିବା ମଣ୍ଡି ଛତ୍ରବଜାର ମଧ୍ୟ ବନ୍ଦ ରହିବ ବୋଲି ଜଣାପଡିଛି।

ଅପରପକ୍ଷରେ କରୋନା ପାଇଁ ସହର ଏକପ୍ରକାର ଅଚଳ ହୋଇପଡିଛି। ସତେ ଯେମିତି ସହରରେ ଅଘୋଷିତ କର୍ଫ୍ୟୁ ଜାରି ହୋଇଛି। ସକାଳରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଜନଗହଳି ଲାଗି ରହୁଥିଲା ସବୁଠି ଏବେ ଖାଁଖାଁ ପରିବେଶ। ଚା’ଖଟିଠାରୁ ଆରମ୍ଭକରି ସନ୍ଧ୍ୟାରେ ଫାଷ୍ଟଫୁଡ ଷ୍ଟଲରେ ବି ଆଉ ଭିଡ ଦେଖିବାକୁ ମିଳୁନାହିଁ। ସବୁ ବ୍ୟବସାୟୀ ହାତବାନ୍ଧି ବସିରହୁଛନ୍ତି। କାହାର ବଈନି ହେଉନି ତ କେଉଁ ବ୍ୟବସାୟୀ ପସରା ଧରି ଘରକୁ ଫେରୁଛି। ସତେ ଯେମିତି ସାରା ସହରକୁ କରୋନା ଗ୍ରାସ କରିନେଇଛି। କରୋନା ଭୟରେ ଲୋକେ ବାହାରକୁ ଯିବାକୁ ଭୟ କରୁଛନ୍ତି। କାଁଭାଁ ସରକାରୀ କାର୍ୟ୍ୟାଳୟକୁ ଛାଡି ଦେଖିଦେଲେ ବଜାରରେ ଅସମ୍ଭବ ନୀରବତା ଖେଳିଯାଇଛି। ପାର୍କ ସମେତ ବଡବଡ ସପିଂ ମଲ ବି ବନ୍ଦ ରହିଛି। ଦୋକାନ ବଜାରରେ ବ୍ୟବସାୟ ମାନ୍ଦା ପଡି ଯାଇଥିବାବେଳେ ମାସ୍କ ଓ ସାନିଟାଇଜରର ଅଭାବ ସବୁଠି ଦେଖିବାକୁ ମିଳୁଛି। ଔଷଧ ଦୋକାନଠାରୁ ଆରମ୍ଭକରି ସରକାରୀ ମେଡିକାଲରେ ବି ପର୍ୟ୍ୟାପ୍ତ ପରିମାଣରେ ମାସ୍କ କି ସାନଟାଇଜର ମିଳୁନାହିଁ।

ବିଶ୍ୱରେ କାୟା ବିସ୍ତାର କରିଥିବା କରୋନାକୁ ସରକାର ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ସରକାରୀସ୍ତରରେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ସରକାର ଏହାକୁ ବିପର୍ୟ୍ୟୟ ଘୋଷଣା କରିବା ପରେ ଲୋକଙ୍କ ମନରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟରେ ଏ ପର୍ୟ୍ୟନ୍ତ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଏହା ଯେପରି ଅଧିକ କାୟା ବିସ୍ତାର ନ କରିବ ସେଥିପାଇଁ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।

Comments are closed.