ଅସମାପ୍ତ ରହିଲା ଭାରତ-ଚାଇନା ସାମରିକ ଆଲୋଚନା

ପିଏଲଏ ନିକଟରୁ କିଛି ସକାରାତ୍ମକ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳିଲା ନାହିଁ- ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାନ୍ତରେ ସୃଷ୍ଟି ହୋଇଥିବା ବିବାଦ ପ୍ରଶମିତ କରିବାକୁ ରବିବାର ଅନୁଷ୍ଠିତ ତ୍ରୟୋଦଶତମ ସାମରିକ ସ୍ତରୀୟ ବୈଠକ ଅସମାପ୍ତ ଭାବେ ଶେଷ ହୋଇଛି । ଏହି ବୈଠକ ରବିବାର ପୂର୍ବାହ୍ନ ୧୦.୩୦ରେ ଆରମ୍ଭ ହୋଇ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ ତାହା ଅସମାପ୍ତ ରହିଥିଲା । ଫଳରେ ସୀମାନ୍ତରେ ସୃଷ୍ଟ ଉତ୍ତେଜନା ଦୂର କରିବାକୁ ଦୁଇ ପକ୍ଷ ବିଫଳ ହୋଇଥିବା କୁହାଯାଉଛି । ଭାରତ ପକ୍ଷରୁ ଗଠନମୂଳକ ପ୍ରସ୍ତାବମାନ ଦିଆଯାଇଥିଲେ ମଧ୍ୟ ପିପୁଲ୍ସ ଲିବିରେସନ ଆର୍ମି (ପିଏଲଏ) ପକ୍ଷରୁ ବିବାଦର ସମାଧାନ ନିମନ୍ତେ କୌଣସି ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରାଯାଇନଥିଲା ।
ଭାରତୀ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ଏହି ତ୍ରୟୋଦଶ ଭାରତ-ଚାଇନା ସାମରିକ କମାଣ୍ଡରସ୍ତରୀୟ ବୈଠକରେ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ରହିଥିବା ଅବଶିଷ୍ଟ ପ୍ରସଙ୍ଗଗୁଡିକର ସମାଧାନକୁ ଗୁରୁତ୍ୱ ଦିଆଯାଇଥିଲା । ଭାରତ ପକ୍ଷରୁ ଏଥିନେଇ ଅନେକ ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଚୀନ ପ୍ରତିପକ୍ଷ ସେଥିପାଇଁ ରାଜି ହୋଇନଥିଲେ କିମ୍ବା ଆଗକୁ ଏ ଦିଗରେ ନିଆଯିବାକୁ ଥିବା କିଛି ସକାରାତ୍ମକ ପ୍ରସ୍ତାବ ଦେଇନଥିଲେ । ତେବେ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଯୋଗାଯୋଗ ଏବଂ ସୀମାନ୍ତରେ ସ୍ଥିରତା ବଜାୟ ରଖିବାକୁ ରାଜି ହୋଇଥିଲେ ।

Comments are closed.