ଚିକାଗୋରୁ ଆସିଲେ ୧୩୭ ପ୍ରବାସୀ ଓଡ଼ିଆ ; ହାତରେ ଲାଗିଲା କ୍ବାରେଣ୍ଟାଇନ୍‌ ଷ୍ଟାମ୍ପ୍‌

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ’ ଯୋଜନାରେ ରବିବାର ୧୩୭ଜଣ ପ୍ରବାସୀ ଓଡ଼ିଆ ଆମେରିକାର ଚିକାଗୋ ସହରରୁ ଭୁବନେଶ୍ବର ଫେରିଛନ୍ତି। ବିମାନଟି ଚିକାଗୋରୁ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ବର ଆସିଥିଲା ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ପ୍ରାୟ ୧୮୦ଜଣ ଯାତ୍ରୀଙ୍କୁ ନେଇ ଚିକାଗୋରୁ ଏୟାର ଇଣ୍ଡିଆ ବିମାନ ଏଆଇ-୧୨୬ରେ ଭାରତ ଆସିଥିଲା। ସେଥିମଧ୍ୟରୁ ଦିଲ୍ଲୀରେ ୪୩ଜଣ ଯାତ୍ରୀ ଓହ୍ଲାଇଥିଲେ । ଏହାପରେ ବିମାନଟି ୧୩୭ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ବର ଆସିଥିଲା । ଏଠାରେ ଭୋର ୪ଟା ୩୦ରେ ଯାତ୍ରୀମାନେ ପହଞ୍ଚିଥିଲେ। ବିମାନଟି ସକାଳ ୬ଟା ୩୦ରେ କ୍ରିଉ ସଦସ୍ୟଙ୍କୁ ନେଇ ପୁଣି ଦିଲ୍ଲୀ ଫେରି ଯାଇଥିଲା। ବିମାନବନ୍ଦରରେ ଓହ୍ଲାଇ‌ବା ପରେ ପ୍ରବାସୀ ଓଡ଼ିଆଙ୍କ ହାତରେ କ୍ବାରେଣ୍ଟାଇନ୍‌ ଷ୍ଟାମ୍ପ୍‌ ଲଗାଯିବା ପରେ ସାନିଟାଇଜର୍‌ ସ୍ପ୍ରେ ଓ ଥର୍ମାଲ୍ ସ୍କ୍ରିନିଂ ହୋଇଥିଲା । ଏହାପରେ ସେମାନେ ନିଜ ବ୍ୟବସ୍ଥାରେ ଘରକୁ ଯାଇଥିଲେ ବୋଲି ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Comments are closed.