ମହାରାଷ୍ଟ୍ରରୁ ପହଞ୍ଚିଲେ ୨୫ଟି ଜିଲାର ୧୨୦୦ ଶ୍ରମିକ

ଟିଟିଲାଗଡ଼ : ମହାରାଷ୍ଟ୍ରରୁ ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକ ରବିବାର ଟିଟିଲାଗଡ ଷ୍ଟେସନରେ ପହଞ୍ଚିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଗତ ଦୁଇ ଦିନ ଧରି ପ୍ରସ୍ତୁତି ଚାଲିଥିଲା। ଧାର୍ଯ୍ୟ ସମୟ ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ୩ ଘଣ୍ଟା ବିଳମ୍ବରେ ୨ଟାରେ ଟ୍ରେନ ଆସି ଟିଟିଲାଗଡ ପହଞ୍ଚିଥିଲା। ଶ୍ରମିକଙ୍କ ସ୍ୱାଗତ, ପଞ୍ଜିକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ବିତରଣ ନେଇ ଷ୍ଟେସନ ପରିସରରେ ବିଭିନ୍ନ ଷ୍ଟଲ ଖୋଲାଯିବା ସହ ବ୍ୟାପକ ବ୍ୟବସ୍ଥା ହୋଇଥିବା ଦେଖାଯାଇଥିଲା। ଖୋଦ ଉତ୍ତରାଞ୍ଚଳ ଡ଼ିଆଇଜି ସମ୍ବଲପୁର  ହିମାଂଶୁ ଲାଲ, ରାଜ୍ୟ କୋଭିଡ-୧୯ ପର୍ଯ୍ୟବେକ୍ଷକ ସୁଶିଲ ଲୋହାନୀ, ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ଏମ. ସନ୍ଦୀପ ସମ୍ପଦ, ପିଡି ଡ. ମହେଶ୍ୱର ସ୍ୱାଇଁ ତଥା ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କୁ  ବସ ଯୋଗେ ବିଭିନ୍ନ ଅଞ୍ଚଳକୁ ପଠାଇଯାଇଛି। ଏନେଇ ପୂର୍ବରୁ ଟିଟିଲାଗଡ ଉପଜିଲାପାଳଙ୍କ ଘୋଷଣା ନେଇ ସକାଳ ୯ଟାରୁ ରାତ୍ରୀ ୧୨ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଜାରି କରାଯାଇଛି। ବସ ଗୁଡିକୁ ପୁଲିସ ଏସକର୍ଟ ମଧ୍ୟରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ଶ୍ରମିକଙ୍କ ଆଗମନକୁ ନେଇ ଷ୍ଟେସନ ପରିସରକୁ ରଙ୍ଗବେରଙ୍ଗ ବେଲୁନ, ସ୍ୱାଗତ ବ୍ୟାନରରେ ସଜାଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରମିକଙ୍କୁ ଜିଲା କ୍ରମରେ ଡକାଯିବା ପରେ ହାତରେ ଷ୍ଟାମ୍ପ ଲଗାଯିବା ସହ ଉପସ୍ଥିତ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ସ୍କ୍ରିନିଂ କରାଯାଇଥିଲା। ବଲାଙ୍ଗିର ଜିଲାର ୨୦୩ ଜଣ ଶ୍ରମିକ ତଥା ଟିଟିଲାଗଡ ବ୍ଲକରୁ ୩୦ ଜଣ ଟ୍ରେନରେ ଫେରିଥିବା ଜଣାଯାଇଛି। ସମସ୍ତ ଶ୍ରମିକଙ୍କୁ ସମ୍ପୃକ୍ତ ଜିଲା ଗୁଡିକରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି)କୁ ସଙ୍ଗରୋଧ ପାଇଁ ପଠାଯାଇଥିବା ଜଣାଯାଇଛି।

୧୨ଶହ ଜଣ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ୨୫ଟି ଜିଲାକୁ ୪୩ଟି ବସ, ୬ ବୋଲେରୋର ବ୍ୟବସ୍ଥା କରାଯାଇଛି। ଟ୍ରେନ ଯୋଗେ ରାଜ୍ୟର ୨୫ଟି ଜିଲାର ଶ୍ରମିକ ଆସି ଟିଟିଲାଗଡରେ ଓହ୍ଲାଇଥିଲେ। ସେମଧ୍ୟରୁ କଲାହାଣ୍ଡିର ୨୨୦, ବଲାଙ୍ଗିରର ୨୦୩, ଗଞ୍ଜାମର ୧୫୮, ବାଲେଶ୍ୱରର ୧୪୩, ନୁଆପଡାର ୫୯, ଢେଙ୍କାନାଳର ୫୦, ଅନୁଗୁଳର ୩୮, ସୁନ୍ଦରଗଡର ୩୭, ଭଦ୍ରକର ୩୪, ଖୋର୍ଦ୍ଧାର ୩୨, କେନ୍ଦ୍ରପଡାର ୩୦, କଟକର ୨୯, ମୟୁରଭଞ୍ଜର ୨୮, ଗଜପତିର ୨୪, ପୁରୀର ୧୬, ରାୟଗଡାର ୧୫, ଯାଜପୁରର ୧୪, ଜଗତସିଂହପୁରର ୮, କେନ୍ଦୁଝରର ୮, ନୟାଗଡର ୫, ବରଗଡର ୪, ସୋନପୁରର ୪, କୋରପୁଟର ୧ ଏବଂ ନବରଙ୍ଗପୁରର ୧ ଜଣ ଶ୍ରମିକ ଆସିଥିବା ଜଣାଯାଇଛି। ଏନେଇ ବିଭିନ୍ନ ଜିଲାରୁ ୪୩ଟି ବସ ଏବଂ ୬ଟି ବୋଲେରୋ ଟିଟିଲାଗଡ ପହଞ୍ଚିଥିଲା। ପ୍ରଥମେ ଗଞ୍ଜାମ ଏବଂ ଶେଷରେ ବଲାଙ୍ଗିର ଅଞ୍ଚଳର ଶ୍ରମିକଙ୍କୁ ବସରେ ପୁଲିସ ଏସକର୍ଟରେ ନିଜ ଗନ୍ତବ୍ୟ ପଥରେ ନିଆଯାଇଥିବା ଜଣାଯାଇଛି।

ତୃତୀୟ ଥର ପାଇଁ କର୍ଫ୍ୟୁ– କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ମହାରାଷ୍ଟ୍ର ରାଜ୍ୟରୁ ଓଡିଆ ଶ୍ରମିକଙ୍କୁ ନେଇ ରବିବାର ଟିଟିଲାଗଡକୁ ଟ୍ରେନ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ସକାଲ ୯ଟାରୁ ରାତ୍ରୀ ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା। ସହର ମଧ୍ୟସ୍ଥଳରେ ରେଳଷ୍ଟେସନ ରହିଥିବା ନେଇ ସହରବାସୀ ସଂକ୍ରମିତ ହେବା ଆଶଙ୍କାରେ ସ୍ଥାନୀୟ ଆଇନଜୀବୀ ସଂଘ ସମେତ ବିଭିନ୍ନ ସଂଗଠନ ପୁର୍ବରୁ ଏହାକୁ ଦୃଢ ବିରୋଧ କରିଥିଲେ। ତେବେ ସମ୍ଭାବ୍ୟ ପରିସ୍ଥିତି ନେଇ ଶନିବାର ସନ୍ଧ୍ୟାରେ ଉପଜିଲାପାଳ ୧୭ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଥିଲେ। ପୁର୍ବରୁ ୧୯୮୦ରେ ଓଡିଆ ଅଣଓଡିଆ ଗଣ୍ଡଗୋଳ ତଥା ୧୯୯୭ରେ ପାନୀୟ ଜଳ ଯୋଗାଣ ଦାବି ଆନ୍ଦୋଳନ ପରିପ୍ରେକ୍ଷୀରେ ଟିଟିଲାଗଡ ସହରରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ କରୋନା ମହାମାରୀ ନେଇ ତୃତୀୟ ଥର ପାଇଁ ସହରରେ କର୍ଫ୍ୟୁ ଜାରି କରାଯାଇଥିବା ଜଣାଯାଇଛି।

ପୁଲିସ ଛାଉଣୀ- ପଶ୍ଚିମ ଓଡିଶାର ଅନ୍ୟତମ ବୃହତ ଉପଖଣ୍ଡ ଟିଟିଲାଗଡ କରୋନା ମହାମାରୀରୁ ଅଦ୍ୟାବଧି ଦୂରରେ ରହିଛି। ଏନେଇ ଲକଡାଉନ ୩ରେ ଟିଟିଲାଗଡ ସହରରେ ସମସ୍ତ ଦୋକାନ ବଜାର ଖୋଲିବା ସହ ଜନଜୀବନ ସାମାନ୍ୟ ହୋଇଛି। ତେବେ ଶ୍ରମିକ ଟ୍ରେନ ଆସିବା ନେଇ ଟିଟିଲାଗଡ ସହରରେ କର୍ଫ୍ୟୁ ଜାରି ପରିପ୍ରେକ୍ଷୀରେ ସକାଲ ୯ଟାରୁ ସହର ଶୂନଶାନ ହୋଇ ପଡିଥିଲା। ଏନେଇ ସହରସାରା ପୁଲିସ ଛାଉଣୀରେ ପରିଣତ ହୋଇଥିବା ଦେଖାଯାଇଥିଲା। ବଲାଙ୍ଗିର ଏସପିଙ୍କ ତତ୍ତ୍ବାବଧାନରେ ବଲାଙ୍ଗିର ଏଏସପି ମନୋରଞ୍ଜନ ପ୍ରଧାନ, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି, କଣ୍ଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର ତଥା ଜିଲାର ବିଭିନ୍ନ ଅଞ୍ଚଳରୁ ପୁଲିସ ଅଫିସର ଉପସ୍ଥିତ ରହି ପରିସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖିଥିଲେ। ଷ୍ଟେସନ ପରିସରରେ ଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଏସକେ ଟପ୍ପୋ, ଷ୍ଟେସନ କମାଣ୍ଡର ଏମଏସ କୁମାୱତ, ଜିଆରପି ପକ୍ଷରୁ ଏସଡିଆରପିଓ କୈଲାସ ଚନ୍ଦ୍ର ବୁରୁଡା, ଷ୍ଟେସନ ଅଧିକାରୀ ଅବନି ସାହୁ ପ୍ରମୁଖ ବ୍ୟବସ୍ଥା ସମ୍ଭାଲିଥିଲେ।

ଭବ୍ୟ ସ୍ୱାଗତ-ଶ୍ରମିକଙ୍କୁ ଟିଟିଲାଗଡ ରେଳଷ୍ଟେସନରେ ସ୍ୱାଗତ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରେଳ ଷ୍ଟେସନ ପରିସରରେ ତଥା ବାହାରେ ଅନେକ ସ୍ୱାଗତ ବ୍ୟାନର ସହ ବେଲୁନରେ ଷ୍ଟେସନର ସାଜସଜ୍ଜା ଦେଖିବା ଭଳି ହୋଇଥିଲା। ଶ୍ରମିକଙ୍କ ସହାୟତା ତଥା ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଅନେକ ଗୁଡିଏ ଅସ୍ଥାୟୀ କାଉଣ୍ଟର ନିର୍ମାଣ କରାଯାଇଥିଲା। ବିଭିନ୍ନ ବିଭାଗର କର୍ମଚାରୀ ଶ୍ରମିକଙ୍କ ନାମ ପଞ୍ଜିକରଣ ସହ ସହାୟତା ପାଇଁ ଉପସ୍ଥିତ ଥିଲେ। ଅଭ୍ୟର୍ଥନା ତଥା ବିଭିନ୍ନ ବ୍ୟବସ୍ଥା ତଦାରଖରେ ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ, ବଲାଙ୍ଗିର ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଲଗିରେ, ଟିଟିଲାଗଡ ବିଡିଓ ନବିନ ଚନ୍ଦ୍ର ନାୟକ, ତହସିଲଦାର ଆନନ୍ଦ ପଣ୍ଡା, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ବଲାଙ୍ଗିର ଜିଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଟିଟିଲାଗଡ ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

ଜିଲାପାଳ, ଏସପିଙ୍କ କ୍ୟାମ୍ପ-ଜିଲାର ଲିଖରିଆରେ ପ୍ରଥମ ଥର ପାଇଁ କରୋନା ପୋଜିଟିଭ ଚିହ୍ନଟ ପରେ ସଂକ୍ରମିତ ରାଜ୍ୟରୁ ପ୍ରଥମ ଥର ପାଇଁ ଜିଲାକୁ ପ୍ରବାସୀ ଶ୍ରମିକ ଫେରୁଥିବା ନେଇ ପ୍ରଶାସନିକ ସ୍ତରରେ ବିଶେଷ ତତ୍ପରତା ପ୍ରକାଶ ପାଇଥିଲା। ବଲାଙ୍ଗିର ଜିଲାପାଳ ଏବଂ ଏସପି ଦୁଇ ଦିନ ଧରି ଟିଟିଲାଗଡରେ କ୍ୟାମ୍ପ କରିବା ସହ ସମସ୍ତ ବ୍ୟବସ୍ଥା ବୁଝୁଥିବା ଦେଖାଯାଇଥିଲା। ଟ୍ରେନ ପହଞ୍ଚିବା ପୁର୍ବରୁ ଆଜି ଦିନ ତମାମ ଅସ୍ଥାୟୀ କ୍ୟାମ୍ପରେ ଉଭୟ ଅଧିକାରୀ ବସି ରଣନୀତି ପ୍ରସ୍ତୁତ କରୁଥିବା ଦେଖାଯାଇଥିଲା।

Comments are closed.