ଗୋଟିଏ ଦିନରେ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ୧୨ ଉଦ୍ଧାର

ଗୋପାଳପୁର ବେଳାଭୂମିରେ ସ୍ନାନ କରୁଥିବା ବେଳେ ଅଘଟଣ

ଗୋପାଳପୁର : ଗୋପାଳପୁରରେ ସମୁଦ୍ରରେ ସ୍ନାନ କରିବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଉଥିବା ପ୍ରାୟ ୧୨ ଜଣ ପର୍ଯ୍ୟଟକଙ୍କୁ ଗୋଟିଏ ଦିନରେ ଉଦ୍ଧାର କରିବା ଘଟଣା ଚର୍ଚ୍ଚା ପାଲଟିଛି। ଫଳରେ ଗୋପାଳପୁର ସମୁଦ୍ର ପର୍ଯ୍ୟଟକଙ୍କ ସ୍ନାନ ନିମନ୍ତେ ବିପଦପୂର୍ଣ୍ଣ ରହିଥିବା ଜଣାପଡିଛି।
ରବିବାର ଛୁଟି ଦିନ ହୋଇଥିବାରୁ ଦିନ ତମାମ ବେଳାଭୂମିକୁ ପର୍ଯ୍ୟଟକଙ୍କ ସୁଅ ଛୁଟି ରହିଥିଲା । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବେଳାଭୂମିରେ ବୁଲିବାର ମଜ୍ଜା ନେବା ସାଙ୍ଗକୁ ସମୁଦ୍ରରେ ସ୍ନାନ କରିବାର ମଜ୍ଜା ମଧ୍ୟ ନେଇଥିଲେ । ସକାଳୁ ସନ୍ଧ୍ୟା ମଧ୍ୟରେ ୧୨ ଜଣ ପର୍ଯ୍ୟଟକ ସମୁଦ୍ରର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ସକାଳେ ଗୋପାଳପୁରର ମୁଖ୍ୟ ସମୁଦ୍ରରେ ଗାଧୋଉଥିବା ବେଳେ ୬ ଜଣ ପର୍ଯ୍ୟଟକ ଅଚାନକ ସମୁଦ୍ର ଜୁଆରରେ ଭାସି ଯାଇ ଗଭୀର ସମୁଦ୍ରକୁ ଚାଲିଯିବା ସହ ବୁଡ଼ି ଯାଉଥିବା ସମୟରେ ବେଳାଭୂମିରେ ଥିବା ଓଟିଡିସି ପକ୍ଷରୁ ଏକ ଘରୋଇ କମ୍ପାନୀ ରାଜସ୍ଥାନର ଡୁନିମା ଇଞ୍ଜିନୟରିଙ୍ଗ୍ ପ୍ରାଇଭେଟ୍ କମ୍ପାନୀ ପକ୍ଷରୁ ଚାଲିଥିବା ଜଳକ୍ରୀଡାରେ ନିୟୋଜିତ ରହିଥିବା ୫ କର୍ମଚାରୀ ସନ୍ତୋଷ ବେହେରା, ସୁଶାନ୍ତ ବେହେରା , ଜି. ଡିଲେଶ, ଏମ୍.ମାଧବ ରାଓ,ଜି. ଜଗା ରାଓ ନିଜ ବୋଟରେ ସମୁଦ୍ର ମଧ୍ୟରୁ ବୁଡି ଯାଉଥିବା ପର୍ଯ୍ୟଟକ ମାନଙ୍କୁ ଉଧାର କରି କୂଳକୁ ଆଣିଥିଲେ।
ପୁଣି ମଧ୍ୟାହ୍ନ​​‌ରେ  କେନ୍ଦ୍ରାପଡ଼ାର ପ୍ରଫୁଲ୍ଲ କୁମାର ସାହୁ ଓ ସୁନିଲ ଗୌଡ ସମୁଦ୍ର ରେ ସ୍ନାନ କରିବା ସମୟରେ ପ୍ରଖର ସ୍ରୋତ ରେ ଭାସି ଯାଇ ବୁଡିବାକୁ ଯାଉଥିବା ବେଳେ  ଜଳକ୍ରୀଡାରେ ନିୟୋଜିତ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବାର କିଛି ସମୟ ପରେ ପୁଣି ଥରେ ଅନ୍ୟ ୨ ପର୍ଯ୍ୟଟକଙ୍କୁ  ମଧ୍ୟ ଜଳକ୍ରୀଡାରେ ନିୟୋଜିତ କର୍ମଚାରୀଙ୍କ ଦ୍ଵାରା ଦ୍ଵାରା ଉଦ୍ଧାର କରାଯାଇଥିଲା । ସନ୍ଧ୍ୟା ସମୟରେ ଛତ୍ରପୁର ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମର ଜଗଦୀଶ ବେହେରା ଓ ମୟୂରଭଞ୍ଜ ଜିଲ୍ଲାର ଆଦରପଦା ଗ୍ରାମର କାଇରା ବାନାରା ସମୁଦ୍ରର‌ ପ୍ରଖର ସ୍ରୋତ ରେ ଭାସି ଯାଉଥିବା ବେଳା ଭୂମିରେ ନିୟୋଜିତ ଥିବା ଲାଇଫ ଗାର୍ଡ ଜି. ଚିଟିବାବୁ ଜଗଦୀଶକୁ ଉଦ୍ଧାର କରିଥିବା ବେଳେ କାଇରାକୁ ଜଳକ୍ରୀଡା ରେ ନିୟୋଜିତ କର୍ମଚାରୀ ମାନେ  ଉଦ୍ଧାର କରିଥିଲେ।

 ଏହାପରି ଭାବେ ଗୋଟିଏ ଦିନରେ ୧୨ ଜଣ ପର୍ଯ୍ୟଟକଙ୍କ ଅମୂଲ୍ୟ ଜୀବନକୁ ଜଳକ୍ରୀଡାରେ ନିୟୋଜିତ କର୍ମଚାରୀ ଓ ଲାଇଫ ଗାର୍ଡ ପକ୍ଷରୁ ବଞ୍ଚାଯାଇ ପାରିଛି ।ସୂଚନା ଯେ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ଜୀବନର ସୁରକ୍ଷା ଦେବା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ୪ ଗୃହରକ୍ଷୀଙ୍କୁ ଲାଇଫ ଗାର୍ଡ ପ୍ରଶିକ୍ଷଣ ଦିଆଯାଇ ବେଳାଭୂମିରେ ୨ଟି ପର୍ଯ୍ୟାୟରେ ୨ ଜଣ ଲେଖାଏଁ ଲାଇଫ ଗାର୍ଡଙ୍କୁ ବେଳାଭୂମିରେ  ନିୟୋଜିତ କରାଯାଇଥିଲା ।  କିନ୍ତୁ ଗତ କିଛି ମାସ ହେବ ତାଲିମ ପ୍ରାପ୍ତ ଲାଇଫ ଗାର୍ଡଙ୍କୁ ଅନ୍ୟତ୍ର ନିୟୋଜିତ କରାଯାଇଥିବା ବେଳେ ଜଣେ ତାଲିମ ପ୍ରାପ୍ତ ଲାଇଫ ଗାର୍ଡ ହିଁ ବେଳାଭୂମିରେ ଡ୍ୟୁଟି କରୁଥିବା ଜଣାପଡ଼ିଛି । ଅନ୍ୟ ତିନିଜଣ ତାଲିମ ପ୍ରାପ୍ତ ଲାଇଫ ଗାର୍ଡଙ୍କ ମଧ୍ୟରୁ ଜଣେ ପୁଲିସ ଅତିଥି ଭବନରେ କାର୍ଯ୍ୟରତ ଥିବା ଅନ୍ୟ ଦୁଇ ଜଣଙ୍କୁ ରାତ୍ରିକାଳୀନ ଡ୍ୟୁଟିରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି । ଏଣୁ ଆଜି ଏହିଭଳି ଗୋଟିଏ ଦିନରେ ୧୨ ପର୍ଯ୍ୟଟକଙ୍କୁ ସମୁଦ୍ରରେ ଭାସି ଯାଉଥିବା ବେଳେ ଉଦ୍ଧାର ହେବା ଘଟଣା ପରେ ବେଳାଭୂମିରେ ତାଲିମ ପ୍ରାପ୍ତ ଲାଇଫ ଗାର୍ଡଙ୍କୁ ନିୟୋଜିତ କରିବାକୁ ସାଧାରଣରେ ଦାବି ହେଉଛି ।

Comments are closed.