ସରକାରୀ ଯୋଜନାରେ ସାମିଲ ପାଇଁ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ, ଦିଆଯିବ ପରିଚୟପତ୍ର: କୃଷି ମନ୍ତ୍ରୀ

ଭୁବନେଶ୍ବର: ସରକାରୀ ଯୋଜନାରେ ସାମିଲ ପାଇଁ ଓଡ଼ିଶା କୃଷକ ଡାଟା ବେସ୍‌ ପ୍ରସ୍ତୁତ କରାଯିବ। ଏହି କୃଷକ ଡାଟାବେସ୍‌ ପ୍ରସ୍ତୁତ ହେବା ପରେ କୃଷକମାନେ ଅତି ସହଜରେ ସରକାରୀ ଯୋଜନାରେ ସାମିଲ ହୋଇପାରିବେ। ରାଜ୍ୟରେ ୧୦୦ଦିନ ମଧ୍ୟରେ ଓଡ଼ିଶା କୃଷକ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଯୋଜନା ରହିଥିବା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।
କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ରାଜ୍ୟରେ ୭୬ ଲକ୍ଷ କୃଷକ ପଞ୍ଜୀକୃତ ହେବେ। ନିର୍ଭୁଲ ତଥ୍ୟ ସହ କୃଷକଙ୍କ ଡାଟାବେସ ତିଆରି କରାଯିବ। ଇ-ପାସ ଏବଂ କାଳିଆ ଡାଟାବେସକୁ ନେଇ ଗୋଟିଏ ଡାଟାବେସ ପ୍ରସ୍ତୁତ ହେବ। ଏହି ଡାଟାବେସ୍‌କୁ ଆଧାର କରି କୃଷକଙ୍କୁ ପରିଚୟପତ୍ର ଦିଆଯିବ। ଆଧାରକାର୍ଡ ଅନୁଯାୟୀ କୃଷକଙ୍କ ତଥ୍ୟ ସଂଗ୍ରହ କରାଯିବ। କେଉଁ କୃଷକ କେତେ ଜମି ଚାଷ କରୁଛନ୍ତି ଏବଂ କ’ଣ ଚାଷ କରୁଛନ୍ତି, ସେମାନଙ୍କର କେତେ ଜମି ଅଛି ଇତ୍ୟାଦି ଏହି ଡାଟାବେସ୍‌ରେ ଅନ୍ତର୍ଭୁକ୍ତ କରାଯିବ। କୃଷକମାନଙ୍କୁ ଅନେକ ପ୍ରକାର ଯୋଜନାରେ ସାମିଲ କରାଯାଉଛି। ତେଣୁ ଏହି ଡାଟାବେସ୍‌ର ଆବଶ୍ୟକତା ରହିଛି ବୋଲି କୃଷି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.