୧୧୨ ନଂରେ ମିଳିବ ୩ ଜରୁରୀକାଳୀନ ସେବା : ଉଦଘାଟନ ପରେ ମିଳିଛି ୪ଟି କଲ୍

ସମ୍ବଲପୁର : ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜରୁରୀକାଳୀନ ସେବା ଯଥା ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ଭଳି ସେବା ଗୁଡିକୁ ଗୋଟିଏ ସହାୟତା ନଂ ୧୧୨ ଜରିଆରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଗୁରୁତର ରୋଗୀ ମାନଙ୍କ ପାଇଁ ଆମ୍ବୁଲାନ୍ସ, ନିଆଁ ଲାଗିଲେ କିମ୍ବା ଅଘଟଣ ଘଟିଲେ ସହାୟତା ପୁଲିସ ସେବା ପାଇଁ ପୃଥକ ପୃଥକ ନମ୍ବର ଡାଏଲ କରିବାକୁ ପଡ଼ିବ ନାହିଁ । ଏଣିକି ଏହି ସମସ୍ତ ସେବା ଗୁଡିକୁ ରାଜ୍ୟରେ ୧୧୨ ନମ୍ବର ମାଧ୍ୟମରେ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ଶୁକ୍ରବାର ସନ୍ଧ୍ୟା ୫ଟାରେ ଏହି ସେବାର ଉଦଘାଟନ କରିଥିବା ବେଳେ ଏହି କ୍ରମରେ ସମ୍ବଲପୁର ଠାରେ ଜିଲା ପୁଲିସ ମୁଖ୍ୟାଳୟ ଠାରେ ମଧ୍ୟ ଏହି ସେବାକୁ ଜିଲାରେ ଶୁଭାରମ୍ଭ କରାଯାଇଛି। ସମ୍ବଲପୁର ଜିଲା ପୁଲିସ ମୁଖ୍ୟାଳୟ ଠାରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ନରସିଂହ ଭୋଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ସେବାକୁ ଉଦଘାଟନ କରିବା ସହିତ ଏଥି ପାଇଁ ବ୍ୟବହୃତ ହେବାକୁ ଥିବା ୪ଟି ଇଆରଭି (ଏମରଜେନ୍ସି ରେସ୍ପନ୍ସ ଭେହିକିଲ) ଏବଂ ଅସହାୟ ଅବସ୍ଥାରେ ରହିଥିବା ମହିଳା ଓ ଶିଶୁ ମାନଙ୍କୁ ଉଦ୍ଧାର କରିବା ପାଇଁ ୨ଟି ସ୍ୱତନ୍ତ୍ର ଦୁଇ ଚକିଆ ଯାନ ଗୁଡିକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି।

ଏହି ସେବା ଉଦଘାଟନ ହେବା ପରେ ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ସେବା ପାଇଁ ବିଭିନ୍ନ ସହାୟତା ନମ୍ବରକୁ ଯୋଗାଯୋଗ କରିବା ପରିବର୍ତ୍ତେ କେବଳ ୧୧୨ ନମ୍ବରକୁ କଲ କରାଯାଇ ଜରୁରୀକାଳୀନ ସେବା ଜନତା ପାଇ ପାରିବେ ବୋଲି ଏହି ଅବସରରେ ଆଇଜି ନରସିଂହ ଭୋଳ କହିଛନ୍ତି। ୧୧୨ ନମ୍ବରକୁ ପରିଚାଳନା ପାଇଁ ଭୁବନେଶ୍ୱର ଠାରେ ୨୪ ଘଣ୍ଟିଆ କାର୍ଯ୍ୟରତ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ କଲ କରିଥିବା ବ୍ୟକ୍ତି ଦେଇଥିବା ସୂଚନାକୁ ତୁରନ୍ତ ଇଆରଭି ଗାଡିରେ ଖଞ୍ଜା ଯାଇଥିବା ଟ୍ୟାବଲେଟକୁ ସୂଚନା ଦିଆଯିବା ସହିତ ଉକ୍ତ ବିଭାଗର ଜିଲା ମୁଖ୍ୟ ଓ ନୋଡାଲ ଅଧିକାରୀଙ୍କ ନିକଟକୁ ମଧ୍ୟ ଦିଆଯିବ। ସୂଚନା ପାଇବା ମାତ୍ରେ ସେବା ପାଇଁ ଅନୁରୋଧ ବ୍ୟକ୍ତିଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଇଆରଭି ଗାଡି ପହଞ୍ଚି  ସେବା ପ୍ରଦାନ କରିବ। ସମସ୍ତ ସୂଚନା ଗୁଡିକୁ ସ୍ୱୟଂ ଚାଳିତ ମୋଡରେ ରଖାଯାଇଥିବାରୁ ଜନତା ଡିଜିଟାଲ ମାଧ୍ୟମରେ ତୁରନ୍ତ ସେବା ପାଇ ପାରିବେ ବୋଲି ଜିଲା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସେବାର ଶୁଭାରମ୍ଭ ହେବା ପରେ ରାତ୍ର ୧୦ଟା ପର୍ଯ୍ୟନ୍ତ ଜରୁରୀ ସେବା ପାଇଁ ୪ଟି ଅନୁରୋଧ ମଧ୍ୟ ଆସିଥିବାର ଜଣାପଡ଼ିଛି। ସମ୍ବଲପୁର ଠାରେ ଏହି ସେବାର ଉଦଘାଟନ ସମୟରେ ସମ୍ବଲପୁର ଜିଲା ଏସପି ବାଟ୍ଟୁଲା ଗଙ୍ଗାଧର, ଜିଲା ନୋଡାଲ ପୁଲିସ ଅଧିକାରୀ ନରେନ୍ଦ୍ର ଷଡଙ୍ଗୀ, ସଦର ଏସଡିପିଓ ତପନ ମହାନ୍ତି ଙ୍କ ସମେତ ଜିଲାସ୍ତରୀୟ ଓ ଥାନାଧିକାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.