୧୧ ପାଇପ ଚୋର ଗିରଫ, କୋର୍ଟ ଚାଲାଣ
ଅତାବିରା ପୁଲିସର ବଡ ସଫଳତା

ରେଙ୍ଗାଲିକ୍ୟାମ୍ପ : ଅତାବିରା ପୁଲିସ ହାତରେ ୧୧ ଜଣ ପାଇପ ଚୋର ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ବରଗଡ଼ ଜିଲ୍ଲା ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିପାଇଁ ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମ ନିକଟରେ ଏକ ଗୋଦାମ ଘର ରହିଛି। ଏଠାରେ ଆବଶ୍ୟକ ସମସ୍ତ ସାମଗ୍ରୀ ରଖି ଆଖପାଖ ଅଞ୍ଚଳରେ ଯେଉଁଠି କାମ ଚାଲେ ସେଠାକୁ ଜିନିଷ ପତ୍ର ନିଆଯାଏ। ଏହି ଷ୍ଟୋରରୁ ପାଇପ ଚୋରି ହେଉଥିବା ଖବର ପୁଲିସ ପାଖରେ ଅନେକ ଦିନରୁ ପହଞ୍ଚିଥିଲା। ତେଣୁ ପୁଲିସ ଏମାନଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିଲା। ଗତ ବିଳମ୍ବିତ ରାତ୍ରି ପ୍ରାୟ ଗୋଟାଏ ସମୟରେ ଏକ ଅଜଣା ଟ୍ରକରେ ୧୮ଟି ଡିଆଇ ପାଇପ ବୋଝେଇ କରି ୧୧ ଜଣ ଚୋର ଫେରାର ହୋଇଯାଇଥିବା ଖବର ସିକ୍ୟୁରିଟି ଗାର୍ଡ ପ୍ରମୋଦ ସେଠ୍ ଅତାବିରା ପୋଲିସକୁ ଖବର କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିଲା।
ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଦଳ କୌଶଳ କ୍ରମେ ଲହଣ୍ଡାରୁ ୩ କି ମି ଦୂରରେ ଦେବ୍ରିଗଡ ଜଙ୍ଗଲ ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନେ ହେଲେ ସମ୍ବଲପୁର ଜିଲ୍ଲା କ୍ଷେତରାଜ ପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରି ଗ୍ରାମର ମନିକ ଓରଫ ଗୁଡୁ ମହନ୍ତ(୩୫), ହୀରାକୁଦ ଥାନା ଅନ୍ତର୍ଗତ ଲରାପଙ୍କର ବାବୁଲୁ ଖଡିଆ (୨୫), ସନତ ମିର୍ଦ୍ଧା (୨୫), ମାଷ୍ଟର୍ ପଡ଼ାର ବାସୁଦେବ ଓରାମ(୨୫), କିଶନ ଓରାମ(୨୨), ଲାରପଙ୍କ କୁଡ଼ାପଡ଼ାର ସୁନିଲ ମିର୍ଦ୍ଧା (୧୯), ଭଙ୍ଗାମୁଣ୍ଡାର ଚମାର ନିଆଲ(୪୮), କିରଣ ମାଝୀ (୩୫), ସନ୍ତୋଷ ସିଦାର(୩୭), ଓ ଲାଲା ସିଦାର (୨୯) ଓ ଅଇଁଠା ପାଲି ଥାନା ଅନ୍ତର୍ଗତ ରେମେଡର ତୁଷାର ଓରଫ ବୁଲୁ ସାଇ(୩୪)। ପୁଲିସ ଏମାନଙ୍କୁ ଗିରଫ କରିବା ସହ ପାଇପ ବୋଝେଇ ଟ୍ରକ ଜବତ କରିଥିଲା। ଚୋରି କରି ନେଉଥିବା ପାଇପର ମୂଲ୍ୟ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପୁଲିସ ଏମାନଙ୍କ ବିରୋଧରେ ଏକ କେସ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଏହି ଚୋରଙ୍କୁ ଧରିବା ପାଇଁ ପୁଲିସ ଦଳରେ ଏସ ଆଇ ବିପିନ ବାଗ, ହାବିଲଦାର ଚତୁର୍ଭୁଜ ବଗର୍ତ୍ତି, କନେଷ୍ଟବଳ ଲୁକାଶ କୁଜୁର୍, ଗୋପାଳ ନାଏକ, ମନୋରଞ୍ଜନ ଲୁହା ଓ ହୋମ ଗାର୍ଡ ଗୋବିନ୍ଦ ମହାନନ୍ଦ ଓ ଆଦିତ୍ୟ କୁମ୍ଭାର ପ୍ରମୁଖ ସାମିଲ ଥିଲେ।
Comments are closed.