ବଳାତ୍କାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର: ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାର ଶୁଣାଣୀ କରି ଜିଲା ଓ ଦୌରାଜଜ୍ ସଞ୍ଜୀବ ଦୁବେ ଅଭିଯୁକ୍ତ ସୁଧୀର ହରିଜନକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ହଜାର ଟଙ୍କା ଜୋରିମାନା ଓ ଏହି ଟଙ୍କା ଅନାଦେୟ ଅଧିକ ଏକ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। କୋଷାଗୁମୁଡା ଥାନା ଅନ୍ତର୍ଗତ ଚୁରାହାଣ୍ଡି ଗ୍ରାମରେ ଗତ ୨୬.୧.୨୨ ରାତିରେ ଶୋଇଥିବାବେଳେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ସୁଧୀର ହରିଜନ ବଳାତ୍କାର କରିଥିଲା। ଏହାପରେ ମହିଳା ଚିତ୍କାର କରିବାରୁ ସୁଧୀର ଘଟଣାସ୍ଥଳରୁ ପଳାଇଥିଲା। ସୁଧୀର ତାଙ୍କ ପ୍ରତି ଅନ୍ୟାୟ କରିଥିବାବେଳେ ଏହି କାରଣରୁ ସେ ଗାଁ ଦାଣ୍ଡରେ ମୁଣ୍ଡଟେକି ଚାଲି ପାରୁନାହାନ୍ତି। ତାଙ୍କୁ ନ୍ୟାୟ ନମିଳିଲେ ସେ ଅତ୍ମହତ୍ୟା କରିବେ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଥାନାରେ ଏକ ବଳାତ୍କାର ମାମଲା ରୁଜୁ କରି ଅଭିଯୁକ୍ତ ସୁଧୀରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ନବରଙ୍ଗପୁର ଜେଲ୍ ପଠାଇ ଦିଆଯାଇଥିଲା। ଏହି ମାମଲା ନବରଙ୍ଗପୁର ଜିଲା ଓ ଦୌରାଜଜଙ୍କ ଅଦାଲତରେ ବିଚାର କରାଯାଇଥିଲା। ସମସ୍ତ ୮ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ଜିଲା ଓ ଦୌରାଜଜ୍ ଶ୍ରୀ ଦୁବେ ଅଭିଯୁକ୍ତ ସୁଧୀରକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କର ପକ୍ଷରୁ ସରକାରୀ ଓକିଲ ସଚ୍ଚି ନନ୍ଦନ ସ୍ୱାଇଁ ଏହି ମାମଲା ପରିଚାଳନା କରିଥିଲେ।
Comments are closed.