୨୦୨୨ ଆଇପିଏଲ୍‌ରେ ୧୦ଟି ଦଳ ; ୭୪ଟି ମ୍ୟାଚ୍‌

ନୂଆଦିଲ୍ଲୀ  : ୨୦୨୨ ଆଇପିଏଲ୍‌ରେ ୧୦ଟି ଦଳ ଭାଗନେବେ । ଆଇପିଏଲ୍‌ରେ ଏହା ପ୍ରଥମଥର ନୁହେଁ ଯେ ୧୦ଟି ଦଳ ଖେଳିବାକୁ ଯାଉଛନ୍ତି। ୨୦୧୧ ଆଇପିଏଲ୍‌ରେ ମଧ୍ୟ ୧୦ଟି ଦଳ ଖେଳିଥିଲେ। ଫଳରେ ଟୁର୍ଣ୍ଣାମେଣ୍ଟର ଢାଞ୍ଚା ବଦଳାଇବାକୁ ପଡ଼ିଥିଲା। ୨୦୨୨ ଆଇପିଏଲ୍‌ରେ ମଧ୍ୟ ଉକ୍ତ ଢାଞ୍ଚାରେ ମ୍ୟାଚ୍‌ ଖେଳାଯିବ। ୨୦୨୨ରେ ୭୦ଟି ଲିଗ୍ ମ୍ୟାଚ୍‌ ଏବଂ ୪ଟି ପ୍ଲେଅଫ୍ ମ୍ୟାଚ୍‌; ଏହିପରି ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ତେବେ ଆଇପିଏଲ୍‌ରେ ୮ଟି ଦଳ ଥିବା ବେଳେ ପ୍ରତି ଦଳ ୧୪ଟି ଲେଖାଏଁ ଲିଗ୍ ମ୍ୟାଚ୍‌ ଖେଳୁଥିଲେ। ୧୦ଟି ଦଳଙ୍କୁ ନେଇ ଆଇପିଏଲ୍‌ ଖେଳାଗଲେ ମଧ୍ୟ ସମସ୍ତ ଦଳ ୧୪ଟି ଲେଖାଏଁ ଲିଗ୍ ମ୍ୟାଚ୍‌ ଖେଳିବେ। ୧୦ଟି ଯାକ ଦଳ ୭ଟି ଲେଖାଏଁ ଘରୋଇ ଓ ବାହାର ମ୍ୟାଚ ଖେଳିବେ। ଏହିପରି ଲିଗ୍ ପର୍ଯ୍ୟାୟରେ ମୋଟ ୭୦ଟି ମ୍ୟାଚ୍‌ ଖେଳାଯିବ। ୧୦ଟି ଦଳଙ୍କୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଗୋଟିଏ ଗ୍ରୁପ୍‌ର ଏକ ଦଳ ସେହି ଗ୍ରୁପ୍‌ର ବାକି ୪ଟି ଦଳଙ୍କ ବିରୋଧରେ ୨ ଲେଖାଏଁ ଉଭୟ ଘରୋଇ ଓ ବାହାର (୮ଟି ମ୍ୟାଚ୍‌) ଖେଳିବ। ପୁଣି ସେହି ଦଳ ଅନ୍ୟ ଗ୍ରୁପ୍‌ର ୪ଟି ଦଳ ବିରୋଧରେ ଥରେ ଲେଖାଏଁ ଘରୋଇ କିମ୍ବା ବାହାର (୪ଟି ମ୍ୟାଚ) ଖେଳିବ। ଏହାସହ ସେହି ଦଳ ଅନ୍ୟ ଗ୍ରୁପ୍‌ର ଗୋଟିଏ ଦଳ ବିରୋଧରେ ୨ ଥର ଉଭୟ ଘରୋଇ ଓ ବାହାର (୨ଟି ମ୍ୟାଚ୍‌) ଖେଳିବ। ଏହିପରି ଗୋଟିଏ ଦଳ ମୋଟ ୧୪ଟି ଲିଗ୍‌ ମ୍ୟାଚ୍‌ ଖେଳିବ। କେଉଁ ଦଳ କେଉଁ ଗ୍ରୁପ୍‌ରେ ରହିବେ ଏବଂ ପ୍ରତି ଦଳ ଅନ୍ୟ ଗ୍ରୁପ୍‌ର କେଉଁ ୪ଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ଏବଂ କେଉଁ ଗୋଟିଏ ଦଳ ବିପକ୍ଷରେ ୨ ଥର ଲେଖାଏଁ ଖେଳିବ; ତାହା ଆଇପିଏଲ୍‌ ପରିଚାଳନା ପରିଷଦ ପରବର୍ତ୍ତୀ ସମୟରେ ଘୋଷଣା କରିବ। ୨୦୧୩ ଆଇପିଏଲ୍‌ରେ ୯ଟି ଦଳ ଥିବା ବେଳେ ସର୍ବାଧିକ ୭୬ଟି ମ୍ୟାଚ୍‌ ଖେଳା ଯାଇଥିଲା।

Comments are closed.