ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ଭାରତ ଛାଡ଼ ବା ଅଗଷ୍ଟ କ୍ରାନ୍ତି ଦିବସରେ ଏହି ସଂଗ୍ରାମୀଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନିତ କରାଯିବ। ତେବେ କରୋନା ନେଇ ପୁରସ୍କାର ପ୍ରଦାନରେ ପରିବର୍ତ୍ତନ କରାଯାଇଛି।

ଏଥର ସଂଗ୍ରାମୀମାନେ ରାଷ୍ଟ୍ରପତି ଭବନକୁ ଯିବେ ନାହିଁ। ସଂଗ୍ରାମୀଙ୍କ ବାସଭବନକୁ ଯାଇ ସମ୍ପୃକ୍ତ ଜିଲାର ଜିଲାପାଳ ସମ୍ମାନିତ କରିବେ। ରାଷ୍ଟ୍ରପତି ପୁରସ୍କାର ପାଇବାକୁ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ନୀଳମଣି ସାମଲ, ଭଦ୍ରକ ଜିଲା ଧୁଷୁରୀ ଅନ୍ତର୍ଗତ ସୂର୍ଯ୍ୟପୁର ଗ୍ରାମର ରାମହରି ଗୋସ୍ୱାମୀ ଏବଂ ଗୌରୀଶ୍ୟାମ ଗୋସ୍ୱାମୀ, ନୟାଗଡ଼ ଜିଲା ରଣପୁର ମଝିଖଣ୍ଡର ଈଶ୍ୱର ବିଶୋୟୀ, ଭଦ୍ରକ ଜିଲା ଧାମନଗର ଅନ୍ତର୍ଗତ କମାରବନ୍ଧର ବ୍ରଜକିଶୋର ରାଉତ, ଜଗତସିଂହପୁର ଜିଲା ବାଲିକୁଦା ଅନ୍ତର୍ଗତ ଭଗବାନ ସିନ୍ଧୋଳ ଗ୍ରାମର ବିଶ୍ୱନାଥ ଦାଶ, ସମ୍ବଲପୁର ଜିଲା ମୁରା ଅନ୍ତର୍ଗତ କଲମୀ ଗ୍ରାମର ଦେବାନନ୍ଦ ଗୁପ୍ତା, ନୟାଗଡ଼ ଜିଲା କଣ୍ଟିଲୋର ସହଦେବ ବେହେରା, କେନ୍ଦ୍ରାପଡ଼ା ହାଟବାଣପୁରର ମକରଧ୍ୱଜ ଦାସ ଏବଂ ଯାଜପୁର ଜିଲା କାଇପଡ଼ାର ଦଧିଚି ସାହୁ।
ଏହି ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖରେ ଜିଲାପାଳ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରିବେ। ସେମାନଙ୍କୁ ଅଙ୍ଗବସ୍ତ୍ର ସହିତ ଫଳକ ପ୍ରଦାନ କରିବେ। ଏହି ସମୟରେ କରୋନା ନିମନ୍ତେ କରାଯାଇଥିବା ସମସ୍ତ ନିୟମ ପାଳନ କରାଯିବ।

Comments are closed.