ରଥଯାତ୍ରାରେ ୧୦ଲକ୍ଷ ଭକ୍ତଙ୍କୁ ମାଗଣାରେ ମାସ୍କ

କରୋନା ଲକ୍ଷଣ ଥିଲେ ପୁରୀ ଆସନି : ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ : ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାରୁ କରୋନା ସଂକ୍ରମଣ ସମ୍ଭାବନା ରହିଛି। ତେଣୁ ୧୦ଲକ୍ଷ ଭକ୍ତଙ୍କୁ ମାଗଣାରେ ମାସ୍କ(ତୁଣ୍ଡି) ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। କରୋନା ଲକ୍ଷଣ ଥିବା ବ୍ୟକ୍ତି ରଥଯାତ୍ରା ଦେଖିବାକୁ ପୁରୀ ନଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସେ କହିଲେ ଥଣ୍ଡା, କାଶ, ଜ୍ବର ଏବଂ ସର୍ଦି ଲକ୍ଷଣ ଥିବା ବ୍ୟକ୍ତିମାନେ ଘରେ ରହି ଟେଲିଭିଜନରେ ରଥଯାତ୍ରା ଦେଖିବା ଉଚିତ। ରଥଯାତ୍ରା ସହ ସମ୍ପୃକ୍ତ ଶ୍ରୀମନ୍ଦିରର ସବୁ ସେବାୟତଙ୍କୁ ବୁଷ୍ଟର ଟିକା ଦିଆଯାଉଛି। ଖୁବ୍‌ଶୀଘ୍ର ସେମାନଙ୍କ କରୋନା ପରୀକ୍ଷା କରାଯିବ। ପୁରୀରେ କରୋନା ପ୍ରତିଷେଧକ ଟିକାଦାନ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ କରାଯିବ। ପୁରୀ ରେଳଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଶିବିର ଖୋଲାଯାଇ ଲୋକଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବ। କରୋନା ସଂକ୍ରମିତଙ୍କ ପାଇଁ ୧୫ ଶଯ୍ୟା ବିଶିଷ୍ଟ ଆଇସିୟୁ ଏବଂ ସ୍ବତନ୍ତ୍ର ୱାର୍ଡ ଖୋଲାଯିବ ବୋଲି ସେ କହିଛନ୍ତି। ରଥଯାତ୍ରା ସହ ସମ୍ପୃକ୍ତ ଅଫିସର ଓ କର୍ମଚାରୀ ଯଥାଶୀଘ୍ର ତୃତୀୟ କରୋନା ପ୍ରତିଷେଧକ ଟିକା ନେବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସୋମବାର ସେ ସମୀକ୍ଷା କରିଛନ୍ତି। ଭକ୍ତଙ୍କୁ ତତ୍କାଳ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସବୁ ବିଭାଗ ବିଶେଷଜ୍ଞଙ୍କ ସମେତ ୨୩୩ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ରହିବେ। ଏହାଛଡ଼ା ପୁରୀର ଅନ୍ୟ ୪ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୭ ଶଯ୍ୟା ପ୍ରସ୍ତୁତ କରି ରଖାଯିବ। ୨୦ଟି ଆଶୁଚିକତ୍ସା କେନ୍ଦ୍ର ଖୋଲାଯିବ।
ରଥଯାତ୍ରା ସମୟରେ ଖାଦ୍ୟ ଯାଞ୍ଚ ପାଇଁ ୬ଜଣ ଖାଦ୍ୟ ନିରୀକ୍ଷକଙ୍କୁ ନିୟୋଜିତ କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ପ୍ରବଳ ଖରା ଯୋଗୁଁ ଅଂଶୁଘାତର ସମ୍ଭାବନା ଥିବାରୁ ଅଂଶୁଘାତ ୱାର୍ଡ ଖୋଲାଯିବ ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ନିକୁଞ୍ଜ ଧଳ, ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ, ଜିଲାପାଳ ସମର୍ଥ ବର୍ମା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର ବୈଠକରେ ଉପସ୍ଥିତ ଥିଲେ।

Comments are closed.