୧୦ଲକ୍ଷ ଲୁଟିନେଲା ୧୦ ବର୍ଷର ବାଳକ (ଦେଖନ୍ତୁ ଭିଡିଓ)

ଭୋପାଳ: ଛୋଟ ହେଲେ ବି କାମ ତା’ର ବଡ଼ ସାଂଘାତିକ। ବ୍ୟାଙ୍କର ଯେଉଁ କାଉଣ୍ଟରରେ ଗ୍ରାହକମାନେ ଧାଡ଼ିରେ ଛିଡ଼ା ହୋଇଥିଲେ ସେହି କାଉଣ୍ଟରରୁ ଏକ ଦଶ ବର୍ଷର ବାଳକ ସମସ୍ତଙ୍କ ଆଖିରେ ଧୂଳିଦେଇ ମାତ୍ର ୩୦ସେକେଣ୍ଡ ମଧ୍ୟରେ ୧୦ଲକ୍ଷ ଟଙ୍କା ଲୁଟିନେବାରେ ସଫଳ ହୋଇଛି। ମଧ୍ୟପ୍ରଦେଶର ନିମୁଚ୍ ଜିଲାେର ଥିବା ଏକ ସମବାୟ ବ୍ୟାଙ୍କରେ ଗୁରୁବାର ଦିନ ୧୧ଟା ସମୟରେ ଏହି ଘଟଣା ଘଟିଛି। ବାଳକର ଏଭଳି କାରନାମାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।
ବ୍ୟାଙ୍କରେ ଲାଗିଥିବା ସିସିଟିଭି ଚିତ୍ରରୁ ବାଳକଟି ଛିଣ୍ଡା ପୋଷାକ ପିନ୍ଧି କାଉଣ୍ଟର ସମ୍ମୁଖରେ ବୁଲୁଥିବା ଓ ବାହାରେ ଜଣେ ୨୦ବର୍ଷୀୟ ଯୁବକଙ୍କ ଇସାରାକ୍ରମେ ଆଖି ପିଛୁଳାକେ କାରବାର କରି ପଳାଉଥିବା ଦେଖାଯାଉଛି। ସମ୍ପୃକ୍ତ ଯୁବକ ବ୍ୟାଙ୍କ ଭିତରେ ପ୍ରାୟ ଅଧଘଣ୍ଟା ବସିରହି ବାଳକ ସହିତ କଥା ହେଉଥିବା ଓ ପରେ ବାହାରେ ତାକୁ ଅପେକ୍ଷା କରିଥିବା ମଧ୍ୟ କ୍ୟାମେରାରୁ ଜଣାପଡ଼ୁଛି। ତେବେ କ୍ୟାସିୟର କାଉଣ୍ଟରରୁ ଉଠିବାମାତ୍ରେ ସେଠାରେ ଛକିଥିବା ବାଳକ ଦୁଇଟି ୫୦୦ଟଙ୍କିଆ ବିଡ଼ା ଧରି ପଳାଇବା ଦେଖାଯାଉଛି। ବାଳକଟି ବାହାରିବାବେଳେ ସୁରକ୍ଷାକର୍ମୀ ସନ୍ଦେହରେ ଗୋଡ଼ାଇଥିଲେ ମଧ୍ୟ ତାକୁ ଧରିପାରି ନ ଥିଲେ। ବାଳକ ଓ ସମ୍ପୃକ୍ତ ଯୁବକ ଦୁଇ ବିପରୀତ ଦିଗରେ ପଳାଇଥିବା ଲକ୍ଷ୍ୟ କରାଯାଇଥିଲା। ନିମୁଚ ପୁଲିସ ଅଧୀକ୍ଷକଙ୍କ କହିବାନୁସାରେ ବାଳକଟି ଏତେ ଛୋଟ ଯେ ହଠାତ୍ କେହି ତାକୁ ସନ୍ଦେହ କରିବେ ନାହିଁ। ଛୋଟ ପିଲାଙ୍କୁ ନିୟୋଜିତ କରି ଏଭଳି ଲୁଟ୍ ପଛରେ ବଡ଼ ଗ୍ୟାଙ୍ଗ୍ ଥିବା ସନ୍ଦେହ କରାଯାଉଛି।