ଦୁବାଇରେ ଫସିଥିବା ଓଡିଆ ଦାଦନଙ୍କ ଆକୁଳ ନିବେଦନ ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୟାଗଡ଼ : ଦେଶରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଜର ବିଜୟର ଉତ୍ସବ ପାଳନ କରୁଥିବା ବେଳେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ କରୁଣ ଚିତ୍କାର ଶୁଣିବାକୁ ମିଳିଛି । ଦାଦନ ଖଟିବାକୁ ଯାଇ ୧୦ଜଣ ଓଡ଼ିଆ ଶ୍ରମିକ ଦୁବାଇରେ ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିର୍ଯ୍ୟାତିତ ଶ୍ରମିକମାନେ ଏକ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି । ଏବେ ଏହି ଭିଡିଓଟି ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଦୁଇ ଜଣ ଦଲାଲଙ୍କ କଥାରେ ନୟାଗଡର ୧୦ ଜଣ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିଲେ । ସେଠାରେ ମାସିକ ୩୫ ହଜାର ଟଙ୍କା ଦେବାକୁ କଥା ହୋଇଥିଲା । ମାତ୍ର କିଛି ମାସ କାମ କରିବା ପରେ ଆଉ ଦରମା ମିଳିନଥିଲା। ଦରମା ବଦଳରେ ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ପାଖରେ ପଇସା ନ ଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ସେମାନଙ୍କ ପରିବାର ଲୋକେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

Comments are closed.