କରୋନାକୁ ନେଇ ଗୁଜବ ପ୍ରଚାର କରୁଥିଲେ ଯୁବକ, ଗିରଫ କଲା ପୁଲିସ

ଅନୁଗୁଳ: କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲା କୋଲିୟରୀ ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ କରୋନାରେ ଜିଲାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରିଥିଲା।

ସୂଚନା ଅନୁସାରେ, ଜିଲାର ନୂଆହତା ଗାଁର ଜଣେ ଯୁବକଙ୍କର ଦିଲ୍ଲୀ ସ୍ଥିତ ଏକ ଡାକ୍ତରଖାନାରେ କରୋନାରେ ମୃତ୍ୟୁ ହୋଇଥିବା ନେଇ ଗିରଫ ଯୁବକ ଜଣକ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ତେବେ ଏହା ଗୁଜବ ବୋଲି ଜଣାପଡ଼ିଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗିରଫ ଯୁବକର ନାଁ ଜୟକୃଷ୍ଣ ସାହୁ ବୋଲି ପଚରାଉଚରାରୁ ଜଣାପଡ଼ିଛି। ତେବେ ଆଗକୁ ଏଭଳି ଗୁଜବ ପ୍ରଚାର ନ କରିବାକୁ ଆଇଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Comments are closed.