ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବର୍ଷର ବଜେଟ ଚିଠା

ନିଅଣ୍ଟିଆ ରାଜସ୍ବ ସତ୍ତ୍ବେ ଆକଳନ ଡେଇଁବ ୧.୫୩ଲକ୍ଷ କୋଟି

ଭୁବନେଶ୍ବର: ଆଗାମୀ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ପ୍ରାୟ ୧ଲକ୍ଷ ୫୩ହଜାର କୋଟି ଟଙ୍କାର ଏକ ଚିଠାପ୍ରସ୍ତାବ ମନ୍ତ୍ରୀ ପରିଷଦ ବୈଠକରେ ପାରିତ କରିଛନ୍ତି। ରାଜ୍ୟରେ ରାଜସ୍ବ ଅଭିବୃଦ୍ଧି ହାର ସେତେଟା ଆଖିଦୃଶିଆ ନଥିଲେ ମଧ୍ୟ ଆଗାମୀ ବର୍ଷ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ସହିତ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସରକାର ପ୍ରାଥମିକତା ଦେବେ ବୋଲି ପରିଷଦ ବୈଠକରୁ ଜଣାଯାଇଛି।
ଶୁକ୍ରବାର ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକର ସୂଚନା ଅନୁଯାୟୀ ଆଗାମୀ ବର୍ଷ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରର ଉନ୍ନତୀକରଣ ତଥା ‘ଅବଢ଼ା’ଯୋଜନାରେ ବହୁ ଅର୍ଥ ବିନିଯୋଗ କରିବେ। ଏହାସହିତ ରାଜ୍ୟର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ।

ତେବେ ଅର୍ଥ ବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତି ପୂର୍ବରୁ ପ୍ରତ୍ୟେକ ବିଭାଗକୁ ପାର୍କିଂ ଫଣ୍ଡ ନରଖିବାପାଇଁ ବାରମ୍ବାର ମାର୍ଗଦର୍ଶିକା ଜାରି ହୋଇଛି। ତେଣୁ ବିଭିନ୍ନ ବିଭାଗ ଏଥର ମାପିଚୁପି ବଜେଟ ପ୍ରସ୍ତୁତ କରିଛନ୍ତି।
ବୈଠକର ସୂଚନା ଅନୁଯାୟୀ ଆଗାମୀ ୨୦୨୧ ସୁଦ୍ଧା ସରକାର ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ତ୍ବରାନ୍ବିତ କରିବେ। ଏଥିପାଇଁ ବହୁ ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ। ଏହି ବାବଦରେ ଆବଶ୍ୟକୀୟ ଅର୍ଥ ଓମବାଡସୀ ଓ ଜିଲା ଖଣିଜ ପାଣ୍ଠିରୁ ବିନିଯୋଗ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯେଭଳି ରାଜ୍ୟ ବଜେଟ ଉପରେ ନପଡେ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପୁରୁଣା ଯୋଜନାକୁ ଚାଲୁ ରଖିବା ପାଇଁ ଉଦ୍ୟମ କରାଯାଇଛି। ବଜେଟରେ ବିଶେଷକରି ପୁରୁଣା ସ୍କିମ୍ ପାଇଁ ଅର୍ଥ ବ୍ୟୟବରାଦ ଓ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ପାଣ୍ଠି ଆବଣ୍ଟନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ଚଳିତ ବଜେଟରେ ଆଖିଦୃଶିଆ ସର୍ବାଧିକ ବ୍ୟୟବରାଦ ‘ବିଜୁ ପକ୍କାଘର’ ଯୋଜନା ପାଇଁ ହୋଇଛି। ଏଥିରେ ପ୍ରଶାସନିକ ବ୍ୟୟବାବଦରେ ୬୫ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟବାବଦରେ ୭୪ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବାବଦରେ ୩୨୦୦କୋଟି ଟଙ୍କା ଓ ପଞ୍ଚମ ଅର୍ଥ କମିଶନ ସୁପାରିସ ବାବଦ ୭,୮୦୦ କୋଟି ଟଙ୍କା ବନ୍ଦୋବସ୍ତ ହୋଇଛି।

ଆଗାମୀବର୍ଷ ଶିକ୍ଷା ବଜେଟ ପ୍ରାୟ ୧୭ହଜାର କୋଟି ଭିତରେ ରଖିବାକୁ ସରକାର ମନସ୍ଥ କରିଥିବାବେଳେ ସ୍ବାସ୍ଥ୍ୟ ବଜେଟକୁ ୧୦ପ୍ରତିଶତ ବୃଦ୍ଧି କରିବେ। ଏହାବାଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ। ସରକାରଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ନଦୀରେ ଆଡିବନ୍ଧ ପକାଇବା ସହିତ ଭୂତଳ ଜଳକୁ ରିଚାର୍ଜ କରିବାରବି ଓ ଖରିଫ ଋତୁରେ ଅତିରିକ୍ତ ଉଠାଜଳସେଚନ ବ୍ୟବସ୍ଥା ଏବଂ ୪୦ଟି ଇସିଏସ ପ୍ରକଳ୍ପ ନିର୍ମାଣ କରାଯିବ। ସେହିପରି ବିଭିନ୍ନ ଅପହଞ୍ଚ ଅଞ୍ଚଳକୁ ଯୋଡିବାପାଇଁ ଆଗାମୀ ବଜେଟରେ ବିଜୁ ସେତୁ ନିର୍ମାଣକୁ ସରକାର ଗୁରୁତ୍ବ ଦେବେ ବୋଲି ସୂଚନା ମିଳିଛି। ଚଳିତମାସ ୧୮ରେ ବିଧାନସଭାରେ ଏହି ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କରିବେ। ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ୧.୩୯ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏହା ୨୦୧୮-୧୯ ତୁଳନାରେ ୧୫. ୭ ପ୍ରତିଶତ ଅଧିକ ଥିଲା। ଆଗାମୀ ବଜେଟରେ ରାଜ୍ୟ କର୍ମଚାରୀମାନଙ୍କ ସପ୍ତମ ବେତନ କମିଶନ ବକେୟା ବାବାଦ(୬୦ ପ୍ରତିଶତ) ଦେବା ନେଇ କୌଣସି ବ୍ୟବସ୍ଥା ହୋଇ ନଥିବା ଜଣାଯାଇଛି। ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଖଣିମନ୍ତ୍ରୀ ପ୍ରଫଉଲ୍ଲ ମଲ୍ଲିକ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.