ବରଗଡ ବ୍ୟବସାୟୀଙ୍କ କାରରୁ ୧ କୋଟି ୧୩ ଲକ୍ଷ ଟଙ୍କା ଜବତ

ବ୍ୟବସାୟୀ ଓ ଡ଼୍ରାଇଭରଙ୍କୁ ଗିରଫ କରି ଆୟକର ବିଭାଗକୁ ହସ୍ତାନ୍ତର କଲା ପୁଲିସ

ମହାସମୁନ୍ଦ (ଛତିଶଗଡ଼): ମହାସମୁନ୍ଦ ପୁଲିସ ବୁଧବାର ନିୟମିତ ଗାଡ଼ି ଯାଞ୍ଚ ବେଳେ ଏକ କାରରୁ ୧କୋଟି ୧୨ଲକ୍ଷ ୯୯ ହଜାର ଟଙ୍କା ଜବତ କରିଛି । ସମ୍ପୃକ୍ତ ଗାଡ଼ିଟି ଓଡ଼ିଶାର ବରଗଡ଼ରୁ ରାୟପୁର ଯାଉଥିଲା ଓ ଗାଡ଼ିରେ ବରଗଡ଼ର ପ୍ରତୀକ ଛାବଡ଼ିଆ ଓ ତାଙ୍କ ଡ଼୍ରାଇଭର ସୁରେନ୍ଦ୍ର ସୋନା  ଥିଲେ । ଉଭୟଙ୍କୁ ପୁଲିସ ଗିରଫ କରିଛି । ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହରେ ପୁଲିସ ସେମାନଙ୍କୁ ରୋକିଥିଲା, ମାତ୍ର ଏତେ ପରିମାଣର ଟଙ୍କା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା।

ଏକ ଭର୍ଣ୍ଣା ଗାଡ଼ିରେ ଏହି ଦୁଇ ଯୁବକ ରାୟପୁର ଯାଉଥିବାବେଳେ ମହାସମୁନ୍ଦ ପୁଲିସ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କ ଗାଡ଼ି ଯାଞ୍ଚ ବେଳେ ଡ଼ିକିରେ ନିର୍ମାଣ କରାଯାଇଥିବା ଏକ ସ୍ବତନ୍ତ୍ର ଚାମ୍ବର ମଧ୍ୟରୁ ୨୦୦୦ ଓ ୫୦୦ ଟଙ୍କା ଭର୍ତି ପ୍ୟାକେଟ୍ ମିଳିଥିଲା । ଗଣାଯିବା ପରେ ଏହା ମୋଟ ୧କୋଟି ୧୨ଲକ୍ଷ ୯୯ ହଜାର ଟଙ୍କା ହୋଇଥିଲା  । ଏ ସମ୍ପର୍କରେ ପଚରାଉଚରା ବେଳେ ଉଭୟ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ତେଣୁ ପୁଲିସ ଟଙ୍କା ଓ ଗାଡ଼ି ଜବତ କରିଛି ଏବଂ ଉଭୟ ଯୁବକଙ୍କୁ ଗିରଫ କରିଛି ।  ଲକଡାଉନରେ ଏହା ହାୱଲା ଟଙ୍କା ହୋଇଥିବା ପୁଲିସ ସନ୍ଦେହ କରୁଛି ।

ମହାସମୁନ୍ଦ ଏସପି ପ୍ରଫୁଲ୍ଲ ଠାକୁରଙ୍କ ସୂଚନା ଅନୁସାରେ ସିଙ୍ଗୋଡ଼ାର ସୀମାରେ ଗାଡ଼ି ଯାଞ୍ଚ କରିବା ବେଳେ ଏକ ହ୍ୟୁଣ୍ଡାଇ ଭର୍ଣ୍ଣା କାର୍‌ ଭିତରେ ଏହି ବିପୁଳ ପରିମାଣର ଟଙ୍କା ମିଳିଛି । କାରରେ ସୁନା-ରୂପା ବ୍ୟବସାୟୀ ପ୍ରତୀକ ଛାବଡ଼ିଆ ଓ ତାଙ୍କ ଡ୍ରାଇଭର ଓଡିଶାରୁ ରାୟପୁର ଆସୁଥିଲେ । ସେମାନଙ୍କୁ ଗିରଫ କରାଯାଇଛି ବୋଲି ଏସପି ଶ୍ରୀ ଠାକୁର କହିଛନ୍ତି । ଉଭୟଙ୍କୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି ।

Comments are closed.