ସୀମା ଟପିଲା ବର୍ବରତା; ପିଲା ଚୋର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ଗଛରେ ବାନ୍ଧି ପିଟି ହତ୍ୟା

କେଶଦୁରାପାଳ: ବର୍ବରତାର ସବୁ ସୀମା ଟପିଗଲା। ପିଲା ଚୋରି ନ କରି ବି ଜଣେ ଆଦିବାସୀ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି କିଛି ଲୋକ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ସାମୁକାନଣ୍ଡିର ପଠାଣଡିହା ଅଞ୍ଚଳରେ। ଏହି ଘଟଣା ପୂରା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାର ଶିକାର ହୋଇଛନ୍ତି ବୀରଗୋବିନ୍ଦପୁର ପଞ୍ଚାୟତର ସାରଙ୍ଗବାହାଳୀ ଗାଁର କୁନା ମୁଣ୍ଡା।

ସୂଚନା ଅନୁସାରେ, କୁନାଙ୍କ ପୁଅ ପକ୍ଷାଘାତ ରୋଗରେ ପୀଡ଼ିତ। ପୁଅର ଚିକିତ୍ସା ପାଇଁ ସେ କଟକ ଯାଇଥିଲେ। ଟଙ୍କା ସରିଯିବାରୁ ସେ ଆଉ କିଛି ଟଙ୍କା ପାଇଁ ଘରକୁ ଆସିଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ତାଙ୍କ ଜୀବନ। ବସରୁ ଓହ୍ଲାଇ ଚାଲି ଚାଲି ଘରକୁ ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଛି। କୁନା ଚାଲି ଚାଲି ଆସୁଥିବାବେଳେ ପଠାଣଡିହାଠାରେ କିଛି ଲୋକ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ତାଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଦିନ ଧରି ନିଖୋଜ ରହିବା ପ​‌ରେ ଶନିବାର ପଠାଣଡିହା ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଥିଲା। ଖବର ପାଇ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ କାହାକୁ ଗିରଫ କରିପାରି ନାହିଁ।

ଅନ୍ୟପଟେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପୂରା ପରିବାର ଭାଙ୍ଗିପଡ଼ିଛନ୍ତି। ପିଲାଦିନେ କୁନା ତାଙ୍କ ବାପାଙ୍କୁ ହରାଇବା ପରେ ପରିବାର ବେସାହାରା ହୋଇପଡ଼ିଥିଲେ। ଏବେ ୬ ଭଉଣୀ, ମା’, ସ୍ତ୍ରୀ ଓ ୩ ପୁଅଝିଅଙ୍କୁ ନେଇ କୁନାଙ୍କ ପରିବାର ପୁଣି ଥରେ ବେସାହାରା ହୋଇପଡ଼ିଛନ୍ତି। କୁନା ନିଜର ୩ ସନ୍ତାନଙ୍କ ସହିତ ୪ ଭଉଣୀଙ୍କୁ ପାଠ ପଢ଼ାଉଥିଲେ। ଦୋଷୀମାନଙ୍କୁ ଗିରଫ କରିବା ସହିତ କଠୋର ଦଣ୍ଡ ଦେବା ଏବଂ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Comments are closed.