ପୁଞ୍ଚ ଆକ୍ରମଣ : ତିନି ମାସ ପୂର୍ବରୁ ହୋଇଥିଲା ଷଡ଼ଯନ୍ତ୍ର

ପୁଞ୍ଚ-ରାଜୌରୀ ପାଲଟିଛି ଆତଙ୍କବାଦୀଙ୍କ ନୂଆ ଆଡ୍ଡା, ଭାରତଠୁ ଦୂରଉଛନ୍ତି ଗୁଜ୍ଜର ଓ ବକରୱାଲ ସମ୍ପ୍ରଦାୟ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ମେନ୍ଧାରଠାରେ ଏପ୍ରିଲ ୨୦ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ତିନି ମାସ ପୂର୍ବରୁ ଷଡ଼ଯନ୍ତ୍ର ହୋଇଥିଲା। ଏହାର ସମସ୍ତ ଖସଡ଼ା ପାକିସ୍ତାନରେ ପ୍ରସ୍ତୁତ ହୋଇଥିଲାବେଳେ ଜାମ୍ମୁର ଜଣେ ଗୁଜ୍ଜର ସମ୍ପ୍ରଦାୟର ବ୍ୟକ୍ତି ଆତଙ୍କବାଦୀଙ୍କୁ ନିଜ ଘରେ ପ୍ରାୟ ତିନି ମାସ ଆଶ୍ରୟ ଦେଇଥିଲେ ବୋଲି ଜଣାପଡ଼ିଛି। ଆତଙ୍କବାଦୀଙ୍କ ସଂଖ୍ୟା ତିନି ଥିଲା ଓ ସେମାନେ ଜଣେ ସ୍ଥାନୀୟ ବ୍ୟକ୍ତି ମାଧ୍ୟମରେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିଲେ। ପୁଞ୍ଚ-ରାଜୌରୀ ଅଞ୍ଚଳରୁ ସେମାନେ ଆକ୍ରମଣ ପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିଥିଲେ। ଜୈସ୍‌-ଇ-ମହମ୍ମଦର ସହଯୋଗୀ, ନିଷିଦ୍ଧ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫ୍‌ଏଫ୍‌ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରର ଅନୁଶୀଳନରୁ ଏହା ଜଣାପଡ଼ିଛି। ଏହି ଆକ୍ରମଣ ପଛରେ ଅନ୍ୟୁନ ୭ରୁ ୮ ଆତଙ୍କବାଦୀ ସମ୍ପୃକ୍ତ ଥିବା ସେମାନେ ଦୁଇଟି ଗୋଷ୍ଠୀରେ ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିଥିବା ତଦନ୍ତରୁ ସୂଚନା ମିଳିଛି। ସେମାନେ ଏକ ପୋଲ ତଳେ ଳୁଚିରହି ୫୦ରୁ ଅଧିକ ଗୁଳି ଚଳାଇଥିଲେ।
ତେବେ ଏହି ଘଟଣାର ତଦନ୍ତ କରୁଥିବା ଏନ୍‌ଏସ୍‌ଜି ଜାଣିବାକୁ ପାଇଛି ଯେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଆତଙ୍କବାଦୀମାନେ ସମ୍ପ୍ରତି ରାଜୌରୀ-ପୁଞ୍ଚ ଅଞ୍ଚଳକୁ ଆତଙ୍କବାଦର ନୂଆ କେନ୍ଦ୍ର କରିଛନ୍ତି। ପାକିସ୍ତାନୀ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟକାରୁ ଜାମ୍ମୁ ଆଡ଼କୁ ମୁହାଁଇଥିବାର ଅନ୍ୟ କେତେକ ପ୍ରମାଣ ମଧ୍ୟ ତଦନ୍ତକାରୀ ଦଳ ପାଇଛନ୍ତି। ପୁଞ୍ଚର ବାଟା ଡୋରିୟା ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ। ଏହା ପୁଲୱାମା ନିକଟବର୍ତ୍ତୀ ଅଞ୍ଚଳ। ପୁଲୱାମାରେ ୨୦୧୯ ଫେବୃଆରୀରେ ୪୦ ଯବାନ ସହିଦ ହୋଇଥିଲେ ମଧ୍ୟ ସାମ୍ପ୍ରତିକ ଘଟଣାର ଗଭୀରତା ଏହା ସହିତ ତୁଳନୀୟ ବୋଲି କୁହାଯାଉଛି। ଜାନୁଆରୀ ୧ରେ ରାଜୌରୀର ଡାଙ୍ଗ୍ରୀ ଗ୍ରାମରେ ଆତଙ୍କବାଦୀମାନେ ୫ଜଣ ସାଧାରଣ ନାଗରିକଙ୍କୁ ଧାଡ଼ିରେ ଛିଡ଼ା କରି ହତ୍ୟା କରିଥିଲେ। ଏହା ପରଦିନ ଦୁଇ ଶିଶୁଙ୍କୁ ମଧ୍ୟ ମାରିଥିଲେ। ୨୦୨୧ରେ ଏହି ଅଞ୍ଚଳରେ ଦୁଇଟି ଘଟଣାରେ ୯ ଯବାନଙ୍କୁ ହତ୍ୟା କରାଯାଇଥିଲା। ଏହି ସବୁ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଅଦ୍ୟାବଧି ଠାବ କରାଯାଇନାହିଁ। ୨୦୦୩ରେ ପୁଞ୍ଚର ‘ହିଲିକାକା’ ନାମରେ ଖ୍ୟାତ ସୁନାରକୋଟ ଅନ୍ତର୍ଗତ ବକେରୱାଲ ଅଞ୍ଚଳକୁ ଆତଙ୍କବାଦୀମାନେ ନିଜର ଲୀଳାକ୍ଷେତ୍ର କରିଥିଲେ। ସେଠାରେ ଅନ୍ୟୁନ ୬୦ ପାକିସ୍ତାନୀ ଆତଙ୍କବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ ସହ ଆଡ୍ଡା ଜମାଇଥିଲେ। ମାସକୁ ଏଠାକୁ ମାସିକ ପ୍ରାୟ ୫୦୦ ଲୋକଙ୍କୁ ଆଣିବାରେ ସମର୍ଥ ହୋଇଥିଲେ। ଭାରତୀୟ ସେନା ପରବର୍ତ୍ତୀ ସମୟରେ ‘ସାର୍ପ ବିନାଶ’ ଅଭିଯାନ ମାଧ୍ୟମରେ ଏହାକୁ ଧ୍ବସ୍ତ କରିଦେବା ସହ ଗତ ଦୁଇ ଦଶନ୍ଧି ଧରି ଅଞ୍ଚଳରେ ଶାନ୍ତି ବିରାଜମାନ କରାଇଥିଲେ। ଏବେ ପୁଣି ପରିସ୍ଥିତି ବଦଳିବାରେ ଲାଗିଛି।
ଏହାର କାରଣ ହେଉଛି, ପୁଞ୍ଚ-ରାଜୌରୀ ପାକିସ୍ତାନ ସୀମାକୁ ପାଖ ଏବଂ ନିୟନ୍ତ୍ରଣ ରେଖାଠାରୁ ମାତ୍ର ୧୦କିଲୋମିଟର ଦୂର। ଏହି ସୀମାନ୍ତ ଦେଇ ପୂର୍ବରୁ ଲସ୍କର ଓ ଜୈସ୍‌ ଭଳି ସଂଗଠନର ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରକୁ ଅନୁପ୍ରବେଶ କରୁଥିଲେ। ଏବେ ପୀର୍ ପାଞ୍ଜାଲ ନୂଆ କ୍ଷେତ୍ର ହୋଇଛି। ସାମ୍ପ୍ରତିକ ଆକ୍ରମଣ ସ୍ଥଳ ପୁଞ୍ଚର ବାଟା ଡୋରିୟା ହେଉଛି ନିୟନ୍ତ୍ରଣ ରେଖାରୁ ମାତ୍ର ୮କିଲୋମିଟର। ପାକିସ୍ତାନୀ ଆତଙ୍କବାଦୀ ଓ ସେମାନଙ୍କର ସ୍ଥାନୀୟ ସମର୍ଥକଙ୍କୁ ଏଠାରେ ଯୋଜନା କାର୍ଯ୍ୟକାରୀ କରିବା ସହଜ। ଏହି ଆକ୍ରମଣରେ ତିନି ଜଣ ପାକିସ୍ତାନୀ ସାମିଲ ଥିବା ସ୍ପଷ୍ଟ ହୋଇଥିବାରୁ ପୁନର୍ବାର ଅନୁପ୍ରବେଶ ଆରମ୍ଭ ହୋଇଥିବା ପ୍ରତିପାଦିତ ହୋଇଛି। ସମ୍ପୃକ୍ତ ଅଞ୍ଚଳ ଘଞ୍ଚ ଜଙ୍ଗଲ ଓ ପାହାଡ଼ ପରିପୂର୍ଣ୍ଣ। ପାହାଡ଼ରେ ବହୁ ଗୁମ୍ଫା ମଧ୍ୟ ରହିଥିବାରୁ ଆତଙ୍କବାଦୀଙ୍କୁ ଲୁଚିରହି କାରବାର କରିବା ସହଜ। ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରଠାରୁ ଅର୍ଦ୍ଧାଧିକ ସୁରକ୍ଷାବଳଙ୍କୁ କାଶ୍ମୀର ଉପତ୍ୟକାରେ ମୁତୟନ କରାଯିବା ଫଳରେ ଉକ୍ତ ଭାଗରେ ସୁରକ୍ଷା ସାମାନ୍ୟ ଢ଼ିଲା ରହିଛି। ପୁଞ୍ଚ ଅଞ୍ଚଳରେ ଜଙ୍ଗଲରେ ଯୁଦ୍ଧ ଶୈଳୀ ଶିଖିଥିବା ସୁରକ୍ଷା ବଳଙ୍କ ନିଯୁକ୍ତି ଅପରିହାର୍ଯ୍ୟ। ଏଠାରେ ଆମ୍ବୁସ୍‌ ଆକ୍ରମଣର ଆଶଙ୍କା ଅଧିକ ରହିଥାଏ। କାଶ୍ମୀର ଉପତ୍ୟକାରେ ନିପାତ ଅଭିଯାନ ଜୋର୍‌ଦାର ହେବାରୁ ଅନେକ ଆତଙ୍କବାଦୀ ସମର୍ଥକ ରାଜୌରୀ-ପୁଞ୍ଚ ଅଞ୍ଚଳକୁ ଚାଲିଆସିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଭାରତର ପାରମ୍ପରିକ ସମର୍ଥକ ଥିବା ଗୁଜ୍ଜର ଓ ବକରୱାଲ ସମ୍ପ୍ରଦାୟ ଏବେ ପାକିସ୍ତାନୀ ଏଜେଣ୍ଟଙ୍କ ଶିକାର ହୋଇଛନ୍ତି ଏବଂ ସେମାନେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି। କେତେକ ଘଟଣାରୁ ଏହାର ପ୍ରମାଣ ମିଳିଲାଣି; ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Comments are closed.