ଦେଢ ମାସ ବିତିଲା କୁସୁମଡିହି ଚାଷୀ ଆତ୍ମହତ୍ୟା; କାର୍ଯ୍ୟକାରୀ ହେଲା ନାହିଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି

ରେଙ୍ଗାଲି : ଗଭୀର ନଳକୂପରୁ ରବି ଋତୁରେ ଚାଷ କରି ଧାନ ବିକ୍ରିରେ ସରକାରୀ କଟକଣାରେ ଅତିଷ୍ଠ ହୋଇ ମାର୍ଚ୍ଚ ୧୬ ତାରିଖ ଦିନ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଝାଙ୍କାପାଲି ପଞ୍ଚାୟତ କୁସୁମଡିହି ଗ୍ରାମର ଦାମୋଦର ବଗର୍ତ୍ତି ନାମକ ଜନୈକ ଯୁବ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଉପ-ଜିଲ୍ଲାପାଳ,ତହସିଲଦାର ପ୍ରମୁଖ ପ୍ରଶାସନିକ ଅଧିକାରୀ ଘଟଣାର ତଦନ୍ତ ପାଇଁ କୁସୁମଡିହି ଗ୍ରାମକୁ ଗସ୍ତ କରି ମୃତକର ପରିବାର ବର୍ଗକୁ ଭେଟିଥିଲେ। ପ୍ରଶାନିକ ଅଧିକାରୀଙ୍କ ବ୍ୟତୀତ ରେଙ୍ଗାଲି ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ବିଜେପି ନେତା ମାନେ କୁସୁମଡିହି ଗ୍ରାମକୁ ଆସି ମୃତ ବାଷୀର ପରିବାରକୁ ଭେଟି ସାନ୍ତ୍ବନା ଦେଇଥିଲେ। ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ମୃତକର ପରିବାରକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇ ଅନ୍ନପୂର୍ଣା ଯୋଜନାରେ ପ୍ରତିମାସ ୩୫ କେଜି ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ କ୍ଷୋଭର ବିଷୟ ଯେ ଦାମୋଦର ବଗର୍ତ୍ତିଙ୍କ ମୃତ୍ୟୁ ଘଟିବାର ଦେଢମାସ ବିତିବାକୁ ବସିଲାଣି କିନ୍ତୁ ଏପର୍ଯ୍ୟନ୍ତ ପ୍ରାଶାସନ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନାହିଁ ବୋଲି ଜଣାପଡିଛି। ସ୍ୱାମୀ ଦାମୋଦରଙ୍କ ମୃତ୍ୟୁ ପରେ ଅସହାୟ ପତ୍ନୀ ସଂଯୁକ୍ତା ତାଙ୍କର ୧୨ବର୍ଷର ଝିଅ ସୁଷମା ଏବଂ ୬ବର୍ଷର ଶିଶୁକନ୍ୟା ସୌଦାମିନୀଙ୍କୁ ବହୁ କଷ୍ଟରେ ଚଳାଉଛନ୍ତି। ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତର ସହିତ ଦୃଷ୍ଟି ଦେଇ ମୃତ ଚାଷୀ ଦାମୋଦରଙ୍କ ପରିବାରକୁ ଅନ୍ନପୂର୍ଣା ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି।

Comments are closed.