କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ଗସ୍ତ ଉପରେ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଅମିତ ଶାହା ଦେଶରେ ଗୁଜୁରାଟ ମଡେଲ ଦଙ୍ଗା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଭାରତର ରାଜଧାନୀ ଦିଲ୍ଲୀ ଜଳୁଥିବା ବେଳେ ଅମିତ ଶାହା ଆସି ଓଡ଼ିଶାରେ ସିଏଏ ସମର୍ଥନରେ ରାଲି କରିବା ଦୁଭାର୍ଗ୍ୟଜନକ। ଯେଉଁ ସମୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭର୍ସନା କରିଛନ୍ତି ସେ ସମୟରେ ଦିଲ୍ଲୀର ଦଙ୍ଗା ପ୍ରପୀଡିତଙ୍କ ସମସ୍ୟା ନ ବୁଝି ଓଡ଼ିଶା ଆସି ସିଏଏ ଆଇନ ବିଷୟରେ ବୁଝାଇବା କେତେଦୁର ସମୀଚିନ୍‍। ନୀତିଆୟୋଗ ଓ ଅନ୍ୟାନ୍ୟ ସର୍ଭେ ରିପୋର୍ଟରେ ଗୁଜୁରାଟ ଏକ ପଛୁଆ ରାଜ୍ୟ ହୋଇଥିବା ବେଳେ ଗୁଜୁରାଟ ମଡେଲ ବିକାଶ ଓଡ଼ିଶା କାହିଁକି ଗ୍ରହଣ କରି ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି। ଭାରତବର୍ଷରେ ‘ଫିଲଗୁଡ’ ଠାରୁ ‘ଆଛାଦିନ’ପର୍ଯ୍ୟନ୍ତ ବିକାଶର ଫମ୍ପା ଚିତ୍ର ବିଜେପି ଭାରତବାସୀଙ୍କୁ ଦେଖାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସ୍ୱାମୀ ଅର୍ଥନିତିଜ୍ଞ ପରକାଳା ପ୍ରଭାକର, ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ, ନୋବେଲ ଆୱାର୍ଡ ବିଜେତା ଅର୍ଥନିତିଜ୍ଞ ଅଭିଜିତ୍‍ ବାନାର୍ଜୀ ଭାରତର ଅର୍ଥନୀତି ଭୁଷୁଡ଼ି ପଡ଼ିଛି ବୋଲି ମନ୍ତବ୍ୟ ଦେଇସାରିଲେଣି। ମାତ୍ର ମୋଦି ସରକାର ଏହାକୁ ସ୍ୱୀକାର କରୁନାହାଁନ୍ତି। ନିଜର ବିଫଳତାକୁ ଲୁଚାଇବାକୁ ମୋଦି ସରାକାର ଦେଶରେ ଧର୍ମ ଏବଂ ନାଗରିକତା ନାମରେ ଅସ୍ଥିରତା ସୃଷ୍ଟି କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବିଜେଡ଼ି ଓ ବିଜେପି ଭାଗୁଆଳି ସରକାରରେ ୨୦୦୭-୮ରେ କନ୍ଧମାଳ, ବୌଦରେ ଦଙ୍ଗା କରାଯାଇଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭୟଭୀତ କରିବାପାଇଁ ଶାହା ତାଙ୍କ ଭାଷଣରେ ପରୋକ୍ଷରେ ଇଙ୍ଗିତ କରିଛନ୍ତି।

ବର୍ଷକୁ ଦୁଇକୋଟି ନିଯୁକ୍ତି ପ୍ରତିଶୃତି ପାଣିରଗାର। ପକୋଡା ବିକ୍ରି ବଢ଼ିଥିବାରୁ ନିଯୁକ୍ତି ବଢ଼ିଛି ବୋଲି କହିବା ଦୁର୍ଭାଗ୍ୟଜନକ। ଦେଶର ଶିକ୍ଷିତ ଯୁବକ ଆଜି ବେକାର। ବେକାରୀ ସମସ୍ୟା ୪୫ବର୍ଷର ରେକର୍ଡ ଟପିଛି। ଅଟୋମୋବାଇଲ ସେକ୍ଟର ବିପର୍ଯ୍ୟସ୍ତ। ଦୁର୍ନୀତି କ୍ଷେତ୍ରରେ ଚିତ୍କାର କରି ପ୍ରତିଲୋକର ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ଗଲା କୁଆଡେ? ୫ଟ୍ରିଲିୟନର ଯେଉଁ ଚିତ୍ର ମୋଦି ଦେଖାଉଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା। ଦେଶରେ ଜିଡିପି ଆଜି ୪.୭%କୁ ଖସିଆସିଛି। ଅର୍ଥନୀତିଜ୍ଞଙ୍କ ମତରେ ଯଦି ୯ପ୍ରତିଶତ ପାଞ୍ଚବର୍ଷ ଧରି ଲଗାତାର ରହେ ତେବେ ୫ଟ୍ରିଲିୟନ ରେ ପଂହଚିପାରେ। ବିଜେପି ଦଳର ସାଂସଦ ଶୁଭ୍ରମନ୍ୟୁମ୍‍ ବିଜେପି ଶାସନରେ ଦୁର୍ବଳତାକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ବିମୁଦ୍ରିକରଣ ଏ ଦଶନ୍ଦିରେ ସବୁଠାରୁ ଭୁଲ ନିଷ୍ପତି ବୋଲି କହୁଥିବା ବେଳେ ଶାହାଙ୍କ ବାକଚାତୁରୀ ହାସ୍ୟସ୍ପଦ। ଭାରତର ସୈନ୍ୟଙ୍କ ପାଇଁ ବିଜେପି ସରକାରର ଅସଲ ମନୋଭାବ ପଦାରେ ପଡ଼ିଯାଇଛି। ଦୀର୍ଘ ବର୍ଷ ଧରି ସୀମାରେ ଜଗିଥିବା ସୈନ୍ୟମାନଙ୍କୁ ଉପଯୁକ୍ତ ଖାଦ୍ୟ, ପୋଷାକ ଓ ଜୋତା ଦିଆଯାଉ ନାହିଁ ବୋଲି ସିଏଜି ରିପୋର୍ଟ ଦେଇଛନ୍ତି।

ଶାହାଙ୍କ ୫୫ ବର୍ଷ ଓ ୫ବର୍ଷର ତୁଳନା ଦୁଭାର୍ଗ୍ୟଜନକ। କଂଗ୍ରେସ ୧୯୪୭ ନୁହେଁ ୧୮୮୫ ମସିହାରୁ ଭାରତବର୍ଷର ସ୍ୱାଧୀନ, ନିର୍ମାଣ ଏବଂ ଅଖଣ୍ଡତା ପାଇଁ ଲଢ଼େଇ କରିଆସୁଛି। ବିଜେପିର ମୂଳ ସଂଗଠନ ଆରଏସ୍‍ଏସ୍‍ ବ୍ରିଟିଶର ଗୋଲାମଗିରି କରୁଥିଲା। ଆଜି ବିକଶିତ ଭାରତ କେବଳ କଂଗ୍ରେସ ସରକାରର ସୁଶାସନର ପ୍ରତିଫଳନ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ଓଡିଶା ପ୍ରସଙ୍ଗରେ ଶ୍ରୀ ରାଉତରାୟ କହିଛନ୍ତି ଯେ ହୀରାକୁଦ, ପାରଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଂଟ, ନାଲ୍‍କୋ ଠାରୁ ଆରମ୍ଭ କରି ସମଗ୍ର ଜଳସେଚନ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ପ୍ରଭୃତି ସମସ୍ତ କ୍ଷେତ୍ରରେ ବିକାଶ କେବଳ କଂଗ୍ରେସ ହିଁ କରିଛି। ବିଜେପି-ବିଜେଡି ମିଳିତ ସରକାର ୨୦ ବର୍ଷରେ ଓଡିଶାକୁ ରସାତଳଗାମୀ କରିଦେଇଛନ୍ତି।

 

Comments are closed.