୯ ଜିଲାକୁ ମରୁଡ଼ି ଘୋଷଣା କଲେ ଓଡ଼ିଶା ସରକାର

0

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲାକୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କରିଛନ୍ତି। ଯେଉଁ ସବୁ ଜିଲାରେ ସାମଗ୍ରିକ ଭାବେ ୩୩% ଶସ୍ୟ ହାନି ହୋଇଛି ସେହି ସବୁ ଜିଲାକୁ ମରୁଡ଼ି ଘୋଷଣା କରାଯାଇଛି। ମରୁଡ଼ି ଘୋଷିତ ଜିଲାଗୁଡ଼ିକ ହେଲା ବରଗଡ଼, ବଲାଙ୍ଗୀର, ଦେଓଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟର୍ ଆଧାରରେ ରାଜ୍ୟ ସରକାର ଗୁରୁବାର ଏହି ଘୋଷଣା କରିଛନ୍ତି।
ରିପୋର୍ଟ ଅନୁଯାୟୀ ଉପରୋକ୍ତ ୯ଟି ଜିଲାର ୬୬ଟି ବ୍ଲକ୍‍ର ୧୧୮୬ ଗ୍ରାମପଞ୍ଚାୟତର ୫୬୩୩ଟି ଗ୍ରାମ ଓ ୧୬ଟି ପୌରାଞ୍ଚଳର ୨୩୩୧୭୩.୮ ହେକ୍ଟର ଜମିରେ ୩୩%ରୁ ଅଧିକ ଶସ୍ୟ ହାନି ହୋଇଛି। ବଲାଙ୍ଗୀର ଜିଲାର ମୁରିବାହାଲ,ଲୋଇସିଙ୍ଗା, ବେଲପଡ଼ା ବ୍ଲକ୍‍, ସୁନ୍ଦରଗଡ଼ ଜିଲାର ସୁନ୍ଦରଗଡ଼ ସଦର ଓ ଟାଙ୍ଗରାପଲି ବ୍ଲକ୍‍ରେ ୩୯% ରୁ ୫୯% ପର୍ଯ୍ୟନ୍ତ କମ୍‍ ବର୍ଷା ହୋଇଛି। ୧୨ଟି ଜିଲାର ୩୦ଟି ବ୍ଲକ୍‍ରେ ୧୯% ରୁ ୩୯% ପର୍ଯ୍ୟନ୍ତ କମ୍‍ ବର୍ଷା ହୋଇଛି। ୧୯ଟି ଜିଲାର ୧୦୦ ବ୍ଲକ୍‍ରେ କ୍ରମାଗତ ତିନି ସପ୍ତାହ ପର୍ଯ୍ୟନ୍ତ ଆଦୌ ବର୍ଷା ହୋଇନାହିଁ।
ସରକାରୀ ଯୋଜନା ଅନୁଯାୟୀ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ସମ୍ପୃକ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply