୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

0

ଭୁବନେଶ୍ୱର: ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆର୍‍ଏମ୍‍ଆର୍‍ସି)ର ୧.୨୨ କୋଟି ଟଙ୍କା ଆତ୍ମସାତ୍‍ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଶୁକ୍ରବାର କ୍ରାଇମ୍‍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିଶାଖାପାଟନମ୍‍ ମଣ୍ଡଳନାକାପଲ୍ଲୀର ମେସର୍ସ ଏନ୍‍ଭିଟି ପ୍ୟାକର୍ସ ଆଣ୍ଡ୍‍ ମୁଭର୍ସର ମାଲିକ ଟି ପଣ୍ଡୁରଙ୍ଗ ରାଓ , ଭଦ୍ରକ ଭଣ୍ଡାରୀପୋଖରୀ ଥାନା ରାହାଣିଆର ମେସର୍ସ ନିରୁପମା ଟ୍ରାଭେଲ୍ସର ଅଚ୍ୟୁତାନନ୍ଦ ଦାସ, ଗଞ୍ଜାମ ଭଞ୍ଜନଗର ଭେଜିପୁଟ୍‍ର ମେସର୍ସ ସ୍ପେନ୍ସ୍‍ର ରଞ୍ଜିତ କୁମାର ଷଡଙ୍ଗୀ ଓ ମୁମ୍ବାଇ କାଣ୍ଡିଭିଲିର ମେସର୍ସ ବିନ୍ଦୁ ଡାଇଗ୍ନୋଷ୍ଟିକ୍‍ର ମାଲିକ ବିନୋଦ କୁମାର ସିଂହ। ଗିରଫ ୪ ବ୍ୟବସାୟୀଙ୍କୁ ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ହାଜର କରାଯାଇଛି। ମାମଲାରେ ପୂର୍ବରୁ ଆର୍‍ଏମ୍‍ଆର୍‍ସି ନିର୍ଦେଶକଙ୍କ ଷ୍ଟେନୋ ଦିଲୀପ କୁମାର ମହାନ୍ତିଙ୍କୁ ଇଓଡବ୍ଲ୍ୟୁ ୨୦୧୬ ମାର୍ଚ୍ଚ ୨୯ରେ ଗିରଫ କରିଥିଲା। ଦିଲୀପଙ୍କ ଘର କଟକ ଗୋବିନ୍ଦପୁର ଥାନା ଅଧୀନ ପୋସ୍ତଳ ଗ୍ରାମରେ।
୨୦୦୪ରୁ ୨୦୧୬ ମଧ୍ୟରେ ଆର୍‍ଏମ୍‍ଆର୍‍ସିକୁ ବିଭିନ୍ନ ପ୍ରକଳ୍ପ ବାବଦରେ ସାମଗ୍ରୀ ଯୋଗାଉଥିବା ଏହି ୪ଟି ସଂସ୍ଥାକୁ ବିଭିନ୍ନ ଚେକ୍‍ ମାଧ୍ୟମରେ ୧.୨୨ କୋଟି ଟଙ୍କା ଜାଲିଆତି କରାଯାଇଥିବା ଜଣାପଡିଥିଲା। ଠକେଇ ଏସମ୍ପର୍କରେ ଜଣାପଡ଼ିବା ପରେ ଆର୍‍ଏମ୍‍ଆର୍‍ସିର ପ୍ରଶାସନିକ ଅଧିକାରୀ ଆର୍‍ ସି ମୁଦୁଲି କ୍ରାଇମ୍‍ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ପୂର୍ବରୁ ଗିରଫ ଦିଲୀପ ଆର୍‍ଏମ୍‍ଆର୍‍ସିର ନିର୍ଦେଶକଙ୍କ ଷ୍ଟେନୋ ହୋଇଥିବାରୁ ସେ ବିଭିନ୍ନ ପ୍ରକଳ୍ପରେ ସାମଗ୍ରୀ ଯୋଗାଉଥିବା ସଂସ୍ଥାଗୁଡ଼ିକୁ ଚେକ୍‍ ପୈଠ କରିଥାଆନ୍ତି। ଆର୍‍ଏମ୍‍ଆର୍‍ସିର ଡିଡିଓ ୩୦ ହଜାର ଟଙ୍କାର ଚେକ୍‍ ଦେଇଥିଲେ ଦିଲୀପ ଏହାକୁ ୨, ୩୦,୦୦୦ କରି ଦେଇଥାଆନ୍ତି। ଏଭଳି ଭାବରେ ୧୨ ବର୍ଷ ଧରି ସେ ୧.୨୨ କୋଟି ଟଙ୍କା ଅର୍ଥ ଜାଲିଆତି କରି ଉଠାଇଥିଲେ। ଗିରଫ ସଂସ୍ଥାର ମାଲିକ ପାଣ୍ଡୁରଙ୍ଗ ଅଧିକ ୩ ଲକ୍ଷ ଟଙ୍କା ନେଇଥିବା ବେଳେ ଅଚ୍ୟୁତାନନ୍ଦ ୧୩,୨୩,୧୩୦ ଟଙ୍କା ,ରଞ୍ଜିତ୍‍ ୨.୬୦ ଲକ୍ଷ ଟଙ୍କା ଏବଂ ବିନୋଦ ୮.୨୫ ଲକ୍ଷ ଟଙ୍କା ଅଧିକ ନେଇଥିବା ତଦନ୍ତ ବେଳେ କ୍ରାଇମ୍‍ବ୍ରାଞ୍ଚ ଜାଣିବାକୁ ପାଇଛି। ଦିଲୀପ ଜାଣତରେ ଏହି ୪ ଜଣ ସରକାରୀ ଅର୍ଥକୁ ଜାଲିଆତି କରି ନେଇଥିବା ତଦନ୍ତରୁ ଜଣାପଡିଛି। ଏଥିପାଇଁ ସେମାନେ ଜାଲ୍‍ କାଗଜପତ୍ର ପ୍ରସ୍ତ୍‍ୁତ କରିଥିଲେ। ୨୦୧୬ରେ ଆର୍‍ଏମ୍‍ଆର୍‍ସିର ନିର୍ଦେଶକ ବଦଳିବା ପରେ ଆକାଉଣ୍ଟକୁ ଯାଞ୍ଚ କରିବା ସମୟରେ ଏହି ଠକେଇ ସମ୍ପର୍କରେ ସୂଚନା ମିଳିଥିଲା।

Leave A Reply