ସଚ୍ଚା ସାଧନା

ଦୁନିଆର ଜଞ୍ଜାଳ ଭିତରେ ବ୍ୟତିବ୍ୟସ୍ତ ହୋଇ, ସାଂସାରିକ ଭାର ମୁଣ୍ଡାଇବାକୁ ଅକ୍ଷମ ପାଞ୍ଚଜଣ ଯୁବକ ହଠାତ୍‌ ଏକ ନିଷ୍ପତ୍ତି ନେଇ ଗୃହତ୍ୟାଗ କରିଥିଲେ- ଗୃହତ୍ୟାଗ ମୂଳରେ ଥିଲା କ୍ଷଣିକ ବୈରାଗ୍ୟ। ନିରୁଦ୍ଦିଷ୍ଟ ଭାବରେ ଏଣେତେଣେ ବୁଲିବା ଭିତରେ ଘଞ୍ଚବନାନୀ ଦେଖି ମନସ୍ଥ କଲେ ଏହା ଭିତରେ କିଛି ସମୟ ବୁଲିଲେ ମନର କଷ୍ଟ ଲାଘବ ହୋଇଯିବ। ହୁଏତ ନୂଆ ଦିଶାର ସନ୍ଧାନ ମିଳିଯିବ।
ଜଙ୍ଗଲ ଭିତରେ ବୁଲୁଥିବାବେଳେ କୌତୂହଳବଶତଃ ଜଣେ ଯୁବକ କହିଲେ ଆଚ୍ଛା ଭାଇ! କୁହତ ଯଦି ଏହି ଜଙ୍ଗଲରେ ଆମେ ତପସ୍ୟା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବା ଓ ଭଗବାନ ବର ଯାଚଜ୍ଞା କରିବେ ତେବେ ତାଙ୍କୁ କ’ଣ ମାଗିବା ଠିକ୍‌ ହେବ?
ଦ୍ବିତୀୟ ଜଣକ ତତ୍‌କ୍ଷଣାତ କହିଲେ- ‘ସର୍ବଦା ପେଟଭରି ଖାଦ୍ୟ ଦେବାକୁ ମାଗିବି ଯେପରି ଅନ୍ନ ଚିନ୍ତା ଆଉ ନଥିବ। ଭୋକିଲା ପେଟରେ ଭଲା କିଏ ଜୀବିତ ରହିପାରିବ? ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବି କାହା ​‌େ​‌ଘନି?’
ତା’ର କଥା ନ ସରୁଣୁ ତୃତୀୟ ଜଣକ କହିଲେ- ‘ମୁଁ ଅପାର ବଳଶାଳୀ ହେବାକୁ ପ୍ରାର୍ଥନା କରିବି। ଏ ସଂସାର ହେଉଛି ଶକ୍ତିମାନର। ଜୋର ଯା’ର ମୁଲକ ତାର। ଶକ୍ତିହୀନ ସବୁକ୍ଷେତ୍ରରେ ପରାଭବ ଭୋଗିଥାଏ। ଶକ୍ତିମାନର ତ ସର୍ବତ୍ର ବିଜୟ ହୋଇଥାଏ।’
ଚତୁର୍ଥଜଣକ କହିଲେ- ‘ମୁଁ ବୁଦ୍ଧିମାନ ହେବାକୁ ବର ମାଗିବି। ବୁଦ୍ଧି ନଥିଲେ ବଳ କିଛି କାମ ଦିଏନାହିଁ। ଅପାର ବଳଶାଳୀ ହୋଇ ବୁଦ୍ଧିହୀନ ହୋଇଥିଲେ ବଳ ଅସାର ହୋଇଯାଇଥାଏ। ବୁଦ୍ଧିବଳରେ ତ କ୍ଷୁଦ୍ର ପ୍ରାଣୀ ମଧ୍ୟ ଅସାଧ୍ୟ ସାଧନ କରିଥାଏ। ତୁମେମାନେ ଜାଣିନାହଁ ବୁଦ୍ଧି, ଧନବଳ, ଜନବଳଠାରୁ ଶ୍ରେଷ୍ଠ ଅଟେ।’
ପଞ୍ଚମ ଜଣକ କହିଲେ- ‘ମୁଁ ସ୍ବର୍ଗସୁଖ ମାଗିବି, ଏହା ତ ସବୁସୁଖଠାରୁ ଶ୍ରେଷ୍ଠ। ମୁନିଋଷି, ସାଧକମାନେ ଯେ ଘୋର ତପସ୍ୟା କରିଥାନ୍ତି ଏହା ମୂଳରେ ଥାଏ ସ୍ବର୍ଗଲାଭ। ଏଇ ମର୍ତ୍ତ୍ୟରେ ତ ସାଧନା ବଳରେ ହିଁ ସ୍ବର୍ଗସୁଖ ଉପଲବ୍ଧ ହୁଏ, ଯଦି ତାହା ମିଳିଗଲା ତେବେ କ୍ଷତି କ’ଣ?’
ସେମାନଙ୍କ ଏଭଳି କଥୋପକଥନ ଶୁଣୁଥିଲେ ନିକଟରେ ଏକ ବୃକ୍ଷ ମୂଳରେ ଉପବେଶନ କରିଥିବା ଜନୈକ ସାଧୁ। ପାଖକୁ ଆସି କହିଥିଲେ- ‘ମୁଁ ଭାବୁଛି ତୁମମାନଙ୍କଠାରୁ ବଡ଼ ମୂର୍ଖ ଏ ସଂସାରରେ ଆଉ କେହିନାହାନ୍ତି। ତୁମମାନଙ୍କ ନିକଟରେ ନା ସାଧନା, ନା ତପସ୍ୟା କରିବାର ଶକ୍ତି ଅଛି, ନା ବରଲାଭର ସାମର୍ଥ୍ୟ ଅଛି? ତୁମେମାନେ ତ ବର ଲାଭପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ, ଗୋଟେଗୋଟେ ଅପଦାର୍ଥ। ତପସ୍ୟା ନିମନ୍ତେ ଦୃଢ଼ ମନୋବଳ ଓ ତିତିକ୍ଷା ଆବଶ୍ୟକ। ଆଉ ଯଦି ଏହା ତୁମମାନଙ୍କଠାରେ ଥାଆନ୍ତା ତେବେ ତୁମେମାନେ ସାଂସାରିକ ଜଞ୍ଜାଳରେ ବ୍ୟତିବ୍ୟସ୍ତ ନହୋଇ ନିଜର ଦାୟବଦ୍ଧତା (ଦାୟିତ୍ବବୋଧ) ନିର୍ବାହ ଭିତରେ ଆଗକୁ ବଢ଼ିଥାନ୍ତ, ଘରଛାଡ଼ି ନିରୁଦ୍ଦିଷ୍ଟ ଭାବରେ ଏଣେତେଣେ ବୁଲୁ ନଥାନ୍ତ। ମୋ କଥା ମାନି ଘରକୁ ଫେରିଯାଅ। ନିଜନିଜ ସାଂସାରିକ ଦାୟିତ୍ବ ସଂପାଦନ କର। ପ୍ରାଣୀ ମାତ୍ରେ ଈଶ୍ବର ମନେକରି ସେମାନଙ୍କ ସେବାରେ ମନୋନିବେଶ କର- ଏହା ହିଁ ତ ସଚ୍ଚା ସାଧନା।’

Comments are closed.