ରଣଜୀ ଟ୍ରଫି: ଦେବାଶିଷଙ୍କ ୧୯୫; ସୂର୍ଯ୍ୟକାନ୍ତ ଓ ଦେବବ୍ରତଙ୍କ ଅର୍ଦ୍ଧଶତକ

କଟକ : ଚଳିତ ରଣଜୀ ଟ୍ରଫି ସିଜିନ୍‌ରେ କ୍ରମାଗତ ୨ୟ ମ୍ୟାଚ୍‌ ଜିତିବା ଦିଗରେ ଅଗ୍ରସର ହେଉଛି ଘରୋଇ ଓଡ଼ିଶା ଦଳ। ପ୍ରଥମ ଇନିଂସରେ ପ୍ରତିପକ୍ଷ ​ସର୍ଭିସେସ୍ ‌ଦଳ ବିପକ୍ଷରେ ବିଶାଳ ଲିଡ୍ ନେଇ ବିଜୟପଥରେ ଓଡ଼ିଶା ଅଗ୍ରସର ହେଉଛି। ଟାଙ୍ଗୀସ୍ଥିତ ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଗ୍ରୁପ୍ ‘ସି’ ମ୍ୟାଚ୍‌ରେ ସର୍ଭିସେସ୍ ବିପକ୍ଷରେ ଓଡ଼ିଶା ପ୍ରଥମ ଇନିଂସରେ ୨୬୯ ରନ୍‌ରେ ଆଗୁଆ ରହିବା ପରେ ଏହାର ବିଜୟ ସମ୍ଭାବନା ସୃଷ୍ଟିହୋଇଛି। ଯୁବ ବ୍ୟାଟ୍‌ସମ୍ୟାନ୍ ଦେବାଶିଷ ସାମନ୍ତରାୟ ୧୯୫ ରନ୍‌ର ଇନିଂସ ଖେଳିବା ପରେ ଦୁଇ ବୋଲର ଦେବବ୍ରତ ପ୍ରଧାନ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଉପଯୋଗୀ ଅର୍ଦ୍ଧଶତକ ମାରିଛନ୍ତି। ଫଳରେ ଓଡ଼ିଶା ଦଳ ଗୁରୁବାର ୩ୟ ଦିନରେ ପ୍ରଥମ ଇନିଂସରେ ୫୪୦ ରନ୍‌କରି ଅଲ୍‌ଆଉଟ ହୋଇଯାଇଛି। ୨୬୯ ରନ୍‌ ପଛରେ ରହିବା ପରେ ୨ୟ ଇନିଂସରେ ସର୍ଭିସେସ୍‌ର ଓପ୍‌ନର ଲଢ଼ୁଆ ବ୍ୟାଟିଂ କରିଥିଲେ ହେଁ ଶେଷଆଡ଼କୁ ଜଲ୍‌ଦି ୩ଟି ୱିକେଟ ହରାଇଛି। ୩ୟ ଦିନ ଶେଷରେ ସର୍ଭିସେସ୍ ୨ୟ ଇନିଂସରେ ୩ ୱିକେଟରେ ୮୬ ରନ୍ କରିପାରିଛି। ୭ ୱିକେଟ ହାତରେ ଥାଇ ଏବେ ସର୍ଭିସେସ୍ ୧୮୩ ରନ୍ ପଛରେ ରହିଛି। ଏବେ ସର୍ଭିସେସ୍‌ର ପ୍ରଥମ ଲକ୍ଷ୍ୟ ହେବ ଇନିଂସ ପରାଜୟ ଏଡ଼ାଇବା ଏବଂ ପରେ ମ୍ୟାଚ୍ ବଞ୍ଚାଇବା। ବର୍ତ୍ତମାନ ସ୍ଥିତିରେ ଏହା ସର୍ଭିସେସ୍ ଲାଗି ବେଶ୍ କଷ୍ଟକର ମନେହେଉଛି।

ଓଡ଼ିଶା ପ୍ରଥମ ଇନିଂସରେ ୨୬୯ ରନ୍ ଆଗରେ ରହି ୫୪୦ ରନ୍‌କରି ଅଲ୍ଆଉଟ ହେବା ପରେ ସର୍ଭିସେସ୍ ୨ୟ ଇନିଂସ ଆରମ୍ଭ କରିଥିଲା। ଏହାର ଦୁଇ ଓପ୍‌ନର ନକୁଳ ବର୍ମା ଓ ମୁମ୍‌ତାଜ କାଦ୍ଦିର ବେଶ୍ କିଛି ସମୟ କ୍ରିଜ୍‌ରେ ରହି ୫୯ ରନ୍‌ର ଭାଗିଦାରୀ କରିଥିଲେ। ତେବେ ନକୁଳ ବର୍ମା ରନ୍‌ଆଉଟ ହେବା ସହ ସର୍ଭିସେସ୍‌ର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ନକୁଳ ୭୦ ବଲ୍‌ରୁ ୨ଟି ଚୌକା ସହ ୩୧ ରନ୍ କରିଥିଲେ। ପରେ ଓଡ଼ିଆ ପେସ୍ ବୋଲର ରାଜେଶ ମହାନ୍ତି ଅଳ୍ପ ବ୍ୟବଧାନରେ ୨ଟି ୱିକେଟ ନେଇ ଓଡ଼ିଶାକୁ ବିଜୟ ଆଶା ଦେଇଥିଲେ। ମୁମ୍‌ତାଜ କାଦ୍ଦିର ୪୮ ବଲ୍‌ରୁ ୪ଟି ଚୌକା ସହ ୩୧ ରନ୍ କରିଥିଲେ। ପରେ ରବି ଚୌହାନ ୨ ରନ୍‌କରି ରାଜେଶଙ୍କ ୨ୟ ଶିକାର ହୋଇଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଅଧିନାୟକ ରଜତ ପାଲିୱାଲ ୬ ଓ ଜି. ରାହୁଲ ସିଂହ ୧୪ ରନ୍‌କରି ଅପରାଜିତ ରହିଛନ୍ତି। ୨ୟ ଦିନର ଶେଷସୁଦ୍ଧା ଓଡ଼ିଶା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୨୮୦ ରନ୍ କରିଥିଲା। ଗୁରୁବାର ୩ୟ ଦିନରେ ଓଡ଼ିଶାର ଦେବାଶିଷ ସାମନ୍ତରାୟ ଓ ଦେବବ୍ରତ ପ୍ରଧାନ ୭ମ ୱିକେଟ ପାଇଁ ୯୮ ରନ୍ ଯୋଡ଼ିଥିଲେ। ଦେବବ୍ରତ ୮୪ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୫୭ ରନ୍ କରିଥିଲେ। ପରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସହ ଦେବାଶିଷ ୮୧ ରନ୍ ଯୋଗ କରିଥିଲେ। ସୂର୍ଯ୍ୟକାନ୍ତ ବିସ୍ଫୋରକ ବ୍ୟାଟିଂକରି ୨୮ ବଲ୍‌ରୁ ୬ଟି ଛକା ଓ ୪ଟି ଚୌକା ସହ ୬୪ ରନ୍ କରିଥିଲେ। ରାଜେଶ ମହାନ୍ତି ମଧ୍ୟ ଉପଯୋଗୀ ୨୭ ରନ୍ କରିଥିଲେ। ଶେଷ ୱିକେଟରେ ବସନ୍ତ ମହାନ୍ତିଙ୍କ ସହ ଦେବାଶିଷ ୫୯ ରନ୍‌ ଯୋଗକରିବା ସହ ନିଜେ ଦ୍ବିଶତକ ଦ୍ବାରରେ ଥିଲେ। ତେବେ ମାତ୍ର ୫ ରନ୍‌ ପାଇଁ ଦେବାଶିଷ ଏଥିରୁ ବଞ୍ଚିତ ହୋଇଥିଲେ। ଦେବାଶିଷ ୪୦୩ ବଲ୍‌ ଖେଳି ୨୩ଟି ଚୌକା ସହ ୧୯୫ ରନ୍‌କରି ଶେଷ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇଥିଲେ। ଅରୁଣ ବାମାଲ ୪ଟି ୱିକେଟ ପାଇଥିବା ବେଳେ ଦିବେଶ ପଠାନିଆ, ସଦ୍ଦାବ୍ ନଜର ଓ ସଚିଦାନନ୍ଦ ପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.