ଯତୀନ ଦାସଙ୍କ ବିରୋଧରେ ମୁହଁଖୋଲିଲେ ଶ୍ରୀ

0

ନୂଆଦିଲ୍ଲୀ: ଚିତ୍ରକର ଯତୀନ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ବଢ଼ିବାରେ ଲାଗିଛି। ‘ମିଠୁ’ ଅଭିଯାନରେ ନିଶା ବୋରା, ଅନୁଶ୍ରୀ ମଜୁମଦାର, ଗାରୁଶ କାଟୋଚ୍‍ ଓ ମାଳବିକା କୁଣ୍ଡୁଙ୍କ ଯୌନନିର୍ଯାତନା ଅଭିଯୋଗ ପରେ ଏବେ କାନାଡ଼ା ଟରଣ୍ଟୋରେ ରହୁଥିବା ସ୍ତମ୍ଭକାର ଶ୍ରୀ ପରଦକର ଯତିନଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ନିଜ ତିକ୍ତ ଅନୁଭୂତି ସଂପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ ନବେ ଦଶକ ଶେଷ ଆଡ଼କୁ ବାଙ୍ଗାଲୁରୁର ଏକ ଚିତ୍ର ପ୍ରଦର୍ଶନୀରେ ଯତିନଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। ଉଭୟଙ୍କ ପରିଚିତି ପରେ ବିଳମ୍ବିତ ରାତ୍ରିରେ ବାରମ୍ବାର ଫୋନ କରି ଯତିନ ତାଙ୍କ ଲୁକାୟିତ ପ୍ରତିଭାକୁ ପ୍ରଶଂସା କରୁଥିଲେ। କିଛି ଦିନ ପରେ ଯତିନଙ୍କ ବାଙ୍ଗାଲୁରୁ ଗସ୍ତ ବେଳେ ଟାଇମସ ଅଫ ଇଣ୍ଡିଆର ସିଟି ରିପୋର୍ଟର ଭାବେ କାର୍ଯ୍ୟରତ ଶ୍ରୀ ତାଙ୍କ ସାକ୍ଷାତକାର ଛାପିବାକୁ ଚାହିଁଥିଲେ। ଶ୍ରୀଙ୍କ ପ୍ରସ୍ତାବରେ ଯତିନ ତୁରନ୍ତ ରାଜି ହୋଇ ହୋଟେଲକୁ ଆସିବା ପାଇଁ ପ୍ରସ୍ତାବ ଦେଇଥିଲେ। ହୋଟେଲ ରୁମରେ ଶ୍ରୀ ପହଞ୍ଚିବା ମାତ୍ରେ ଉପହାର ସ୍ୱରୂପ ନିଜର ପେଣ୍ଟିଙ୍ଗ ଓ ଏକ ନାଲିଧଡ଼ି ଧଳା ଶାଢ଼ି ଦେଇ ତୁମ ରଙ୍ଗକୁ ଖୁବ୍‍ ମାନିବ ବୋଲି କହି ଖୁସି କରିବାକୁ ଚେଷ୍ଟା କରିଥିଲେ। ସାକ୍ଷାତକାର ପ୍ରଶ୍ନ-ଉତ୍ତର ଚାଲିଥିବା ବେଳେ ଯତିନ ହଠାତ୍‍ ନିଜ ଚଉକିରୁ ଉଠି ଯାଇ ଗାଧୁଆ ଘରକୁ ଯାଇଥିଲେ, ସେଠାରୁ ଫେରି ଆସି ତାଙ୍କୁ ଚୁମ୍ବନ ଦେବାକୁ ଉଦ୍ୟମ କରିଥିଲେ। ଏଭଳି ଅଭଦ୍ର ଆଚରଣରେ ହଡ଼ବଡ଼େଇ ଯାଇ ଶ୍ରୀ ନିଜ ଚଉକିରୁ ଉଠିଯିବାରୁ ତାଙ୍କ ପିଠି ଓ ବେକରେ ଚୁମ୍ବନ ଦେଇଥିଲେ। ତାଙ୍କ ସହ ସଂପର୍କ ରଖିବା ପାଇଁ ଯତିନଙ୍କ ବାରମ୍ବାର ନିବେଦନ ଶ୍ରୀଙ୍କୁ ଚକିତ ଓ ଲଜ୍ଜିତ କରିଥିଲା। ଘଟଣାକ୍ରମରେ ବିଚଳିତ ନ ହୋଇ ଶ୍ରୀ ନିଜର ସମସ୍ତ ବଳପ୍ରୟୋଗ କରି ଯତିନଙ୍କୁ ଠେଲିଦେବାରୁ ଏକ ଚଉକିରେ ଯାଇ ସିଧାସଳଖ ବସି ପଡ଼ିଥିଲେ। ଲଜ୍ଜାରେ ଯତିନ ତାଙ୍କ ମୁହଁକୁ ଅନେଇ ନ ପାରି ତଳକୁ ମୁହଁ କରି ବସି ରହିଥିଲେ। ଏଭଳି ଅଭଦ୍ରୋଚିତ ବ୍ୟବହାରରେ ଡରି ନ ଯାଇ ସାକ୍ଷାତକାର କାର୍ଯ୍ୟକ୍ରମ ଜାରି ରଖି ପ୍ରଶ୍ନ ପଚାରିଥିଲେ। ଯତିନ ମଧ୍ୟ ପ୍ରତ୍ୟେକ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ଦେଇଥିଲେ ବୋଲି ଶ୍ରୀ ଉଲ୍ଲେଖ କରିଛନ୍ତି। ସାକ୍ଷାତକାର ସରିବାମାତ୍ରେ ହୋଟେଲ ରୁମରୁ ସିଧାସଳଖ ବାହାରି ଯାଇଥିଲେ। ରାସ୍ତାରେ ଗାଡ଼ି ଚଳାଇବା ବେଳେ ହୋଟେଲ ରୁମରେ ଘଟିଥିବା ଘଟଣାବଳୀ ବିଷୟରେ ଭାବି ତାଙ୍କ ଦେହ ଥରି ଯାଉଥିଲା ଓ ବାରମ୍ବାର ଦୀର୍ଘ ନିଶ୍ୱାସ ନେଇ ନିଜକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ଅଫିସକୁ ଯାଇ ଯତିନଙ୍କ ସାକ୍ଷାତକାର ରିପୋର୍ଟ ଦାଖଲ କରିଥିଲେ ବୋଲି ଶ୍ରୀ କହିଛନ୍ତି। ଘରକୁ ୟେଫରିବା ବେଳେ ଯତିନ ଦେଇଥିବା ଶାଢ଼ି ଓ ପେଣ୍ଟିଙ୍ଗ ଉପହାରକୁ ରାସ୍ତାରେ ଫୋପାଡି ଦେଇଥିଲେ।

Leave A Reply